ଫେବ୍ରୁଆରୀ ୧ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭକ୍ତ ପୁଣି ପାଇବେ ଜଗା ଦର୍ଶନ । ଗତ ବର୍ଷ ପରି ଏବର୍ଷ ଜଗନ୍ନାଥ ଭକ୍ତଙ୍କ ପାଇଁ ନିଷ୍ଠୁର ହୋଇନାହାନ୍ତି । ଭକ୍ତଙ୍କ ପାଇଁଶୀଘ୍ର ଖୋଲିବେ ତାଙ୍କ ଦୁଆର । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ଫେବ୍ରୁଆରୀ ୧ ତାରିଖରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶ୍ରୀମନ୍ଦିର ଖୋଲାଯିବ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ସୂଚନା ଅନୁଯାୟୀ, ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଖୋଲାଯିବା ନେଇ ଛତିଶା ନିଯୋଗ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିରର ସବୁ ସେବାୟତ ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ଯୋଗଦେଇଥିଲେ। ସମସ୍ତେ ମନ୍ଦିର ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ। ମାତ୍ର ପୂର୍ବପରି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ସେହି ଦିନ ମନ୍ଦିର ସାନିଟାଇଜ୍‌ କରାଯିବ। ମନ୍ଦିର ଖୋଲିବା ଓ ବନ୍ଦ ନେଇ ଏସ୍‌ଓପି ଆସିବ। ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ। ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ଦ୍ରୁତଗତିରେ ବଢୁଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରିଦିଆଯାଇଥିଲା। ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏବେ କୋଭିଡ୍‌ ଆକ୍ରାନ୍ତ କମିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌ ଦୁଇ ଦିନ ଭିତରେ ଜଣାଇଦିଆଯିବ ବୋଲି ଶ୍ରୀ ବର୍ମା କହିଛନ୍ତି ।

Leave a comment