ଏବେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର, ଗୃହରେ ଲିଖିତ ଉତ୍ତର ରଖିଲେ ଆଇନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ସୁନା ଅଳଙ୍କାର ସୁରକ୍ଷିତ ଅଛି । ବର୍ତ୍ତମାନ ରତ୍ନଭଣ୍ଡାର ଖୋଲାଯିବନାହିଁ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ସୂଚନା ଅନୁଯାୟୀ, ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ, ଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲାଯାଇଥିଲା ଓ ଏହି ସମୟରେ କଣ କଣ ରତ୍ନ ମିଳିଥିଲା । ବର୍ତ୍ତମାନ କେଉଁ କାରଣ ପାଇଁ ରତ୍ନଭଣ୍ଡାର ଖୋଲାଯାଉନାହିଁ ଓ ଶେଷଥର ଗଣତି ହୋଇଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ । ଏହାର ଉତ୍ତରରେ ଆଇନ ମନ୍ତ୍ରୀ କହିଥିଲେ, ୧୯୮୫ ମସିହାରେ ଶେଷଥର ପାଇଁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର, ୨୩୬ ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଚ୍ଛିତ ଥିଲା । ଏହି ଅଳଙ୍କାର ଓ ସାମଗ୍ରୀ ମଧ୍ୟରୁ ୮ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ମୂର୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବା କହିଛନ୍ତି ମନ୍ତ୍ରୀ ।

ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି, ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଡିଟ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ନେଇ କି ପଦକ୍ଷେପ ନିଆଯାଇଛି । ତେବେ ବିଧାୟିକାଙ୍କ ଏହି ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଡିଟ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

Leave a comment