କାଲିଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଲିଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ପୁରୀ ଗ୍ରୀନ ଜୋନ ଘୋଷିତ ହେବା ପରେ ରଥ କାମ ଆରମ୍ଭ ହେବା ନେଇ ଆସ ଉଜ୍ଜଳିତ ହୋଇଛି । କିନ୍ତୁ ରଥଯାତ୍ରା ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ ।
ସୂଚନା ଅନୁଯାୟୀ, ରଥ ନିର୍ମାଣ ଓ ରଥଯାତ୍ରା ସଂକ୍ରାନ୍ତରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ ପରିଚାଳନା କମିଟି ବୈଠକରେ ରଥଯାତ୍ରା ଓ ସ୍ନାନ ଯାତ୍ରା ନେଇ କୌଣସି ଆଲୋଚନା ହୋଇନାହିଁ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରଥନିର୍ମାଣ କାମ ଆରମ୍ଭ ହେବ । ପୁରୀ ଗ୍ରୀନ୍ ଜୋନରେ ରହିଛି ଓ ସରକାରଙ୍କ ମାର୍ଗଦର୍ଶିକାରେ ରଥକାମ ନିର୍ମାଣ ନେଇ କୌଣସି ବାରଣ କରାଯାଇ ନାହିଁ । ତେଣୁ ରଥଖଳାରେ ରଥ ନିର୍ମାଣ ଆରମ୍ଭ ହୋଇପାରିବ । ଅନ୍ୟପକ୍ଷରେ ରଥଯାତ୍ରା ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ବୋଲି କହିଛନ୍ତି ଗଜପତି । ସରକାର ଯଦି ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ନେବେ ତାହାକୁ ପରିଚାଳନା କମିଟି ଗ୍ରହଣ କରିବ । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି ।