ପୁରୀରୁ ଆଉ ୪, ବଲାଙ୍ଗୀରରେ ଦୁଇ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ସନ୍ଧ୍ୟାରେ ପୁରୀରେ ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାପାଳ ବଲୱାନ ସିଂହଙ୍କ ସୂଚନା ଅନୁସାରେ ପୁରୀ ସହରରୁ ଦୁଇ, ପିପିଲି ଓ କୋଣାର୍କରୁ ଜଣେ ଲେଖାଏଁ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩ଜଣ କ୍ୱାରେନଟାଇନରେ ଥିବା ବେଳେ ଜଣେ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଅଛନ୍ତି । ଅଭିଯୁକ୍ତର ଘର ନରେନ୍ଦ୍ର ପୁଷ୍କରଣୀ ଅଂଚଳରେ ହୋଇଥିବାବେଳେ ସେ କୁମ୍ଭାରପଡା ପୁଲିସ ଦ୍ୱାରା ଗିରଫ ହୋଇଥିଲା ।
ପ୍ରକାଶ ଥାଉକି, ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିବା କୁମ୍ବାରପଡ଼ା ୍ଥାନା ଅଧିକାରୀଙ୍କ ସହ ଅନ୍ୟ ୩୦ କର୍ମଚାରୀଙ୍କୁ କ୍ୱାରେନଟାନରେ ଯିବାକୁ କୁହାଯାଇଥିବା ବେଳେ ନରେନ୍ଦ୍ର ପୁଷ୍କରଣୀ ଅଂଚଳକୁ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ବଲୱାନ ସିଂହ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଁଚିଛି ।
ସେହିପରି ବଲାଙ୍ଗୀରରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରେ ଆକ୍ରାନ୍ତଙ୍କ ସଖ୍ୟା ୬କୁ ବୃଦ୍ଧିପାଇଛି । ତେବେ ଆଜି ଗୋଟିଏ ଦିନରେ ମୋଟ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି।