ଜେଲରେ ଖେଳ କରୁଛି ପୁଞ୍ଜିଲାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୃଦୟ ଥରାଇ ଦେଇଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନିଜର କୁକର୍ମ ପାଇଁ ଜେଲ ଦଣ୍ଡ ଭୋଗିବା ପରେ ମଧ୍ୟ ନିଜ ପ୍ରକୃତି ଛାଡିପାରୁନାହିଁ । ପାଟଣାଗଡ଼ ଜେଲ୍ରେ ଥିବା ୭ ଜଣ ଡକାୟତଙ୍କୁ ଜେଲ୍ରୁ ଚମ୍ପଟ ମାରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ଆସିଛି ପୁଞ୍ଜିଲାଲ ନାଁରେ ।
ସୂଚନା ଅନୁଯାୟୀ, ପାଟଣାଗଡ଼ ଜେଲ୍ରୁ ୭ଜଣ ଡକାୟତ ଆଜି ସକାଳେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଜେଲ୍ କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ଧସ୍ତାଧସ୍ତି ପରେ ସେମାନଙ୍କୁ ଜେଲ୍ କର୍ମଚାରୀ କାବୁ କରି ନେଇଥିଲେ । କେବଳ ଏତିକି ନୁହେଁ ପୁଞ୍ଜିଲାଲ ଜେଲ୍ରେ ଥିବା ଅନ୍ତେବାସୀମାନଙ୍କୁ ନ ଖାଇବା ପାଇଁ ପ୍ରବର୍ତ୍ତାଉଛି ବୋଲି ଅଭିଯୋଗ କରିଛନ୍ତି ପାଟଣାଗଡ଼ ଜେଲ ଅଧୀକ୍ଷକ ପ୍ରଦୀପ୍ତ ମହାଲିଙ୍ଗମ । ମହାଲିଙ୍ଗମଙ୍କ କହିବନୁସାରେ ପୁଞ୍ଜିଲାଲ ଅନ୍ୟ ଜେଲ୍କୁ ସ୍ଥାନାନ୍ତର ହେବାକୁ ଚାହୁଁଛି । ତେଣୁ ଜେଲରେ ଏହିପରି ଅଶାନ୍ତି ସୃଷ୍ଟି କରୁଛି ।
ଏ ଘଟଣା ପରେ ଡିଜିପି ରାଜେନ୍ଦ୍ର ଶର୍ମା ପାଟଣାଗଡ଼ ଜେଲ୍ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଥିବା ଜଣାପଡିଛି । ପୂରା ଘଟଣାରେ ପୁଞ୍ଜିଲାଲର କ’ଣ ଭୂମିକା ରହିଛି ସେ ନେଇ ରିପୋର୍ଟ ମଗାଯାଇଥିବା ଡିଜିପି କହିଛନ୍ତି । ଜେଲରୁ ରିପୋର୍ଟ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯିବ କି ନାହିଁ, ସେ ନେଇ ରିପୋର୍ଟ ଆସିବା ପରେ ଯାଇ ନିଷ୍ପତ୍ତି ନିଆଯିବ।
ସୂଚନାନୁଯାୟୀ, ଗତବର୍ଷ ଫେବ୍ରୁଆରୀ ୨୩ ତାରିଖରେ ପଟଣାଗଡ଼ରେ ଘଟିଥିବା ହୃଦୟ ବିଦାରକ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କର ଜଣେ ସଂପର୍କୀୟ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା । ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ । ସୌମ୍ୟଶେଖରଙ୍କ ମା’ଙ୍କ ସହିତ ପୁଞ୍ଜିଲାଲଙ୍କ କଲେଜ ଅଧ୍ୟକ୍ଷ ପଦକୁ ନେଇ ଶତ୍ରୁତା ସୃଷ୍ଟି ହୋଇଥିଲା । ସେହି କାରଣରୁ ପୁଞ୍ଜିଲାଲ ଏଭଳି ଏକ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଥିଲା ।