ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପରିଷଦରୁ ବାଦ ଦାବି; କାହିଁକି ଜୋର ଧରିଛି ଏହି ରାଜନୀତି ?
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଏଥିରେ ଛନ୍ଦି ହୋଇଯାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ଘଟଣାରେ ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ।
ତାଙ୍କୁ ହତ୍ୟା କରା ଯାଇଥାଇପାରେ। ଆଉ ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଛି।
ପ୍ରଭାତୀ କହିଛନ୍ତି, ଗତ ୧୫ ଦିନ ତଳେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଦିନ ହେବ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସହ ଝଗଡ଼ା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା । ଧର୍ମେନ୍ଦ୍ର ସାହୁଙ୍କ ଘରେ ଉଠିଥିବା ପାରିବାରିକ ଝଡ଼ର କେନ୍ଦ୍ରବିନ୍ଦୁ ମନ୍ତ୍ରୀ ସମୀର ଦାଶ ବୋଲି ସମସ୍ତେ ଜାଣନ୍ତି ।
ଯଦି, ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥାନ୍ତେ, ତା’ହେଲେ ତାଙ୍କ ପାଖରେ ଥିବା ଭିଡିଓ କାହିଁକି ସାର୍ବଜନୀନ କଲେ ନାହିଁ ? କେହି ତାଙ୍କ ପାଖରେ ଭିଡିଓ ଥିବା କଥା ଜାଣି ହତ୍ୟା କରିନାହିଁ ତ ? ଏଭଳି କିଛି ସନ୍ଦେହ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପ୍ରଭାତୀ ପରିଡ଼ା। ଏହା ସହିତ ତୁରନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ନେବା ସହ ମନ୍ତ୍ରୀ ପରିଷଦରୁ ତାଙ୍କୁ ବାଦ୍ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଉପରେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବାରମ୍ବାର ପଚରାଯିବା ସତ୍ତ୍ୱେ ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ କେବଳ କହିଛନ୍ତି ଯେ ଏହି ଘଟଣା ସଂପର୍କରେ ସେ କିଛି ଜାଣି ନାହାନ୍ତି।