ପରଲୋକରେ ପ୍ରଫେସର ନିତ୍ୟାନନ୍ଦ ଶତପଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ଭାଷା ସାହିତ୍ୟ ର ପ୍ରାଜ୍ଞ ପଣ୍ଡିତ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ର ପ୍ରାଣ, ସମାଲୋଚକ, ମାନବତାବାଦୀ, ସର୍ଜନଶୀଳ ଓ ସୃଜନଶୀଳ ମହାପୁରୁଷ , ଐତିହାସିକ ଭାଷା ଆନ୍ଦୋଳନର ସମର୍ପିତ ଭାଷା ମୁକ୍ତିଯୋଦ୍ଧା ପ୍ରାଧ୍ୟାପକ ଡ଼ଃ ନିତ୍ୟାନନ୍ଦ ଶତପଥୀ ୮୩ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ଯକୃତ କର୍କଟ ରୋଗରେ ପୀଡ଼ିତ ଥିବା ପ୍ରଫେସର ଶତପଥୀଙ୍କର ସ୍ୱାସ୍ଥ୍ୟାବସ୍ଥା କିଛି ଦିନ ତଳେ ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା । ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଦୀର୍ଘ ୪୦ ବର୍ଷ ଧରି ସେ ଆମକୁ ଆଶୀର୍ବାଦ ଦେଇ ଆସିଥିଲେ । ତାଙ୍କ ସହ ଅମୃତ ଅମ୍ଲାନ ସ୍ମୃତି ବ୍ୟାପକ । ବରେଣ୍ୟ ନିତ୍ୟାନନ୍ଦ ୧୯୩୭ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରେଇ ଶାସନଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୬ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ ।ନିତ୍ୟାନନ୍ଦଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ଶତପଥୀ ଓ ମାତାଙ୍କ ନାମ ଦୁର୍ଗାବତୀ ଦେବୀ । କବି ପ୍ରତିଭା ଶତପଥୀ ତାଙ୍କ ଧର୍ମପତ୍ନୀ । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଆବୋରୀ ନେଇଥିଲେ ନିତ୍ୟାନନ୍ଦ । ୧୯୬୨ରୁ ୧୯୬୯ ଯାଏଁ ରେଭେନ୍ସା ମହାବିଦ୍ୟାଳୟରେ ଓ ୧୯୭୬ରୁ ୧୯୯୨ ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଓ ସତ୍ୟବାଦୀ ଚେୟାରର ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ ହୋଇଥିଲେ । ୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, ଗୋପବନ୍ଧୁଙ୍କ ଜନ୍ମଦିବସରେ ସେ ସାକ୍ଷୀଗୋପାଳକୁ ଏକ ସଭାକାର୍ଯ୍ୟରେ ଯୋଗଦେବାକୁ ଯାଇଥାନ୍ତି । ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ । ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ । ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ । ଚାରି ବର୍ଷ ଧରି ଲେଖା ହୋଇଥିବା, “ହେ ସାଥୀ ! ହେ ସାରଥୀ ” ଶୀର୍ଷକ ରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା । ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ “ଆମ କବିତା” ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ତା ପରଠାରୁ ନିତ୍ୟାନନ୍ଦ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ । ତାଙ୍କ ଛାତ୍ରଛାତ୍ରୀମାନେ ଆଧୁନିକ କବିତା ଉପରେ କୌଣସି ସମାଲୋଚନା ମୂଳକ ପୁସ୍ତକ ପାଇ ପାରୁନଥିଲେ । ସେହି ଅଭାବ ଦୂର କରିବାକୁ, ସେ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ । ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହିଆସିଛନ୍ତି । ସେ ମଧ୍ୟରୁ ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନ୍ୟତମ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା । ତାଙ୍କର ଅମୃତ ଅମ୍ଲାନ ସୃଷ୍ଟି ମଧ୍ୟ ରେ:
ଆମ କବିତା,କବିତାର ସେତୁ
ହେ ସାଥୀ ! ହେ ସାରଥୀ – ୧୯୬୯,ସବୁଜର ସାମ୍ପ୍ରତିକ – ୧୯୭୬,ସରଳରୁ ସମ୍ପ୍ରତି – ୧୯୯୬,ସତୁରୀରୁ ସହସାର୍ବ୍ଦୀ
କାବ୍ୟ ଦୃଷ୍ଟି : କାବ୍ୟ ବିଚାର,ସତ୍ୟବାଦୀ ଯୁଗ – ସ୍ରଷ୍ଟା ଓ ସୃଷ୍ଟି
ଆଧୁନିକ ଓଡ଼ିଆ ସାହିତ୍ୟ,ପ୍ରମୂଖ କବି କତିପୟ – ୧୯୮୬
ଗଳ୍ପ ଓ ଗାଳ୍ପିକ – ୧୯୮୬,କାବ୍ୟ ପ୍ରକରଣ – ୧୯୯୪ ।