ବଢିଲା ପାଣ୍ଡ୍ୟାଙ୍କ ସମସ୍ୟା, ହାତ ଛାଡ଼ିଲେ ପ୍ରାୟୋଜକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମସ୍ୟା ବଢିବାରେ ଲାଗିଛି । ବଲିଉଡର ନାମି ପ୍ରଯୋଜକ କରନ ଜୋହରଙ୍କ ଟିଭି ଶୋ‘କଫି ଓ୍ବିଥ୍ କରନ’ରେ ନିଜ ସେକ୍ସ ଲାଇଫ୍ ଓ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କୁ ବାସନ୍ଦ କରିଥିବା ବେଳେ ଏବେ ପ୍ରାୟୋଜକ ତାଙ୍କ ହାତ ଛାଡି ଦେଇଛନ୍ତି । ପାଣ୍ଡ୍ୟାଙ୍କ ସମେତ ଶୋ’ରେ ଉପସ୍ଥିତ ଥିବା ଭାରତୀୟ ଓପନର ଲୋକେଶ ରାହୁଲଙ୍କୁ ମଧ୍ୟ ବାସନ୍ଦ କରାଯିବା ସହ ଅଷ୍ଟ୍ରେଲିଆରୁ ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଦୁଇ ଖେଳାଳିଙ୍କ ବିରୋଧରେ ତଦନ୍ତ ନ ସରିବା ଯାଏ ବାସନ୍ଦ ବଳବତ୍ତର ରହିବ ବୋଲି ବିସିସିଆଇ ତରଫରୁ କୁହାଯାଇଛି । କିନ୍ତୁ ପାଣ୍ଡ୍ୟାଙ୍କ ସମସ୍ୟା ଏତିକିରେ ସରିନାହିଁ । ଜଣାଶୁଣା ପୁରୁଷ ଗ୍ରୁମିଙ୍ଗ୍ ପ୍ରଡକ୍ଟ ବ୍ରାଣ୍ଡ ‘ଜିଲେଟ୍’ ପାଣ୍ଡ୍ୟାଙ୍କ ପ୍ରାୟୋଜକ ରହିଥିଲା । ତେବେ ଜିଲେଟ ଏହି ପ୍ରାୟୋଜନରୁ ଓହରିଯାଇଛି । ପାଣ୍ଡ୍ୟାଙ୍କ ମନ୍ତବ୍ୟ ‘ଜିଲେଟ’ର ମୂଲ୍ୟବୋଧକୁ ସୂଚାଉ ନାହିଁ । ତେଣୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନ କରିବା ପର୍ଯ୍ୟନ୍ତ ତାଙ୍କ ସହ ଆମେ ସବୁ ସମ୍ପର୍କ ଛିନ୍ନ କରୁଛୁ ବୋଲି ‘ଜିଲେଟ’ କମ୍ପାନୀର ମୁଖପାତ୍ର କହିଛନ୍ତି । ଉଲ୍ଲେଖଥାଉ କି, ଶୁକ୍ରବାର ତଦନ୍ତର ରାୟ ପ୍ରକାଶ ନ ହେବା ପର୍ଯ୍ୟନ୍ତ ଏହି ଦୁଇ ଖେଳାଳି କୌଣସି କ୍ରିକେଟ ଇଭେଣ୍ଟ ତଥା ସର୍ବସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ବିସିସିଆଇ ତରଫରୁ କୁହାଯାଇଥିଲା ।