ନିରଞ୍ଜନ, ସଗରିଆ ଟିକେଟ ନେଇ ମୁହାଁମୁହିଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଢୁଛି କଂଗ୍ରେସର ଦଳୀୟ କନ୍ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱତ୍ୱକୁ ନେଇ ଦଳ ଭିତରେ ଅସନ୍ତୋଷ ଦିନକୁ ଦିନ ବଢୁଥିବା ବେଳେ ଧିରେଧିରେ ପଦାକୁ ବି ଆସିଲାଣି । ଏହାଛଡ଼ା ଦଳର ଦୁଇ ବିଧାୟକ ଦୁଇ ଦିନରେ କଂଗ୍ରେସ ଛାଡିବା ପରେ କଂଗ୍ରେସ କନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ଗଡେଇଛି । ଏହାସହ ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟରେ ବିବାଦ ଥମିବାର ନା’ ନେଉନି । ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଥିବା ମତଭେଦ ଥିବା ବେଳେ ଆଜି ଉଭୟେ ମୁହାଁମୁହିଁ ହୋଇଛନ୍ତି । ବିଶୃଙ୍ଖଳିତ ଆଚରଣ ଲାଗି ଆସନ୍ତା ସାଧାରଣ ର୍ନିବାଚନରେ ସଗରିଆଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ବୋଲି ଶୁକ୍ରବାର ନିରଞ୍ଜନ କହିବା ପରେ ଆରମ୍ଭ ହୋଇଛି ମହାଭାରତ । ନିରଞ୍ଜନଙ୍କ କଥାର କଡ଼ା ଜବାବ ଦେଇ ସଗରିଆ କହିଛନ୍ତି, କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ । ଟିକେଟ କିଏ ପାଇବ ତାହା କହିବାକୁ ସେ କେହି ନୁହନ୍ତି । ସେ କେବଳ ସୁପାରିସ କରିପାରିବେ । ଏଭଳି କହି ନିରଞ୍ଜନ ଦଳ ବିରୋଧି କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏପରିକି ସେ କଂଗ୍ରେସକୁ ଶେଷ କରିବାକୁ ଚାହୁଁଥିବା ସମ୍ପର୍କରେ ରାହୁଲଙ୍କୁ ଜଣାଇବେ ବୋଲି ସଗରିଆ କହିବା ପରେ ଏବେ ରାଜ୍ୟ ସାରା ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନାଥାଉ କି, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି ଦଳରୁ ନିଲମ୍ବିତ କରାଯାଇଥିବା ବେଳେ ସେ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦୁଇ ଦିନ ତଳେ ଝାରସୁଗଡ଼ା ବିଧାୟକ ନବ ଦାସ ଦଳରୁ ଇସ୍ତଫା ଦେଇଥିଲେ ।