ଘରୋଇ ସ୍କୁଲ୍ ଆରଟିଆଇ ପରିସରଭୁକ୍ତ ଅଟନ୍ତି: ସୂଚନା ଆୟୋଗ

ଭୁବନେଶ୍ୱର : ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନୟାଳୟଙ୍କ ଉକ୍ତିକୁ ଆଧାରକରି ସୂଚନା ଆୟୋଗ ସ୍ପଷ୍ଟ କରିଛନ୍ତି । ଅଭିଭାବକସଂଘର ସଭାପତି ଡ.ଗଗନ ବିହାରୀ ରାଉତଙ୍କ ଆବେଦନକୁ ଶୁଣାଣିକରି ସୂଚନା ଅଧିକାର ଆୟୋଗ, ସର୍ବୋଚ୍ଚ ନାୟାଳୟଙ୍କ ଉକ୍ତିକୁ ଦୋହରାଇ କହିଛନ୍ତି ଯେ କୌଣସି ଘରୋଇ ଶିକ୍ଷ୍ୟାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷଭାବରେ ଆର୍ଥକ ସହାୟତା ପାଇଥିଲେ ସେମାନେ ସୂଚନା ଅଧିକାର ଆଇନ ପରିସରଭୁକ୍ତ ଅଟନ୍ତି । ସର୍ବାଧିକ ସହାୟତା ପାଇନଥିବା ଯୁକ୍ତିକୁ କୌଣସି ମାପଦଣ୍ଡ ଭାବରେ ନିଆଯାଇପାରିବ ନାହିଁ। ସର୍ବୋଚ୍ଚ ନୟାଳୟଙ୍କ ଉଦାହରଣ ଥିଲା କି କରମୁକ୍ତ ରିହାତି ଦରରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥକ ସହାୟତା ପାଇଛନ୍ତି ବୋଲି ଧରାଯିବ । ଫଳରେ ସାଧାରଣ ଲୋକ ତଥ୍ୟ ମାଗିଲେ ଘରୋଇ ସ୍କୁଲ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ସ୍ପଷ୍ଟ ହୋଇଛି ।
ପ୍ରକାଶଥାଉ କି ଆବେଦନକାରୀ ଡ.ରାଉତ, ଏକ ଘରୋଇ ସ୍କୁଲର କିଛି ତଥ୍ୟ, ସୂଚନା ଅଧିକାର ଆଇନ ମାଧ୍ୟମରେ ଭୁବନେଶ୍ୱର ଜିଲ୍ଲା ଶିକ୍ଷାଅଧିକାରୀ/ଶିକ୍ଷା ନିର୍ଦ୍ଦେଶାଳୟଙ୍କୁ ମାଗିଥିଲେ । କିନ୍ତୁ ଏହି ସ୍କୁଲ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହେଁ କହି ତଥ୍ୟ ଦେବାକୁ ମନାକରିଥିଲେ । ଶେଷରେ ମୁଖ୍ୟ ସୂଚନା ଆୟୋଗ ଉପରୋକ୍ତ ରାୟ ପ୍ରକାଶକରି ୩୦ଦିନ ମଧ୍ୟରେ ତଥ୍ୟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଡ.ରାଉତଙ୍କ ଯୁକ୍ତି ଥିଲାକି ସମ୍ପୃକ୍ତ ସ୍କୁଲଟି ୮ ଏକରରୁ ତଦୁର୍ଦ୍ଧ ଜମି ଏକ-ଟଙ୍କା ବିନିମୟରେ ପାଇଛନ୍ତି । ଶିକ୍ଷାନୁଷ୍ଠାନ ନାମରେ କରମୁକ୍ତ ଅଧୀନରେ ଆସୁଥିଲେ ମଧ୍ୟ କୌଣସି ତଥ୍ୟ ସାର୍ବଜାନୀନ କରୁନାହାନ୍ତି କିମ୍ବା ତଥ୍ୟ ମାଗିଲେ ରୋକ୍ଠୋକ୍ ମନା କରିଦେଉଛନ୍ତି । ଗଣଶିକ୍ଷା ବିଭାଗ ଓ ଶିକ୍ଷା ମନ୍ତ୍ରୀ କହୁଛନ୍ତି କି ଘରୋଇ ବିଦ୍ୟାଳୟରେ ପିଲାମାନଙ୍କ ଆଡମିସନ କରିବା ପୂର୍ବରୁ ଅଭିଭାବକମାନେ ବିଦ୍ୟାଳୟର ଏନ୍ଓସି, ସିଓଆର, ଆଫିଲେସନ ଇତ୍ୟାଦି ସତ୍ୟାସତ୍ୟକୁ ତନଖି କରନ୍ତୁ । କିନ୍ତୁ ଘରୋଇ ବିଦ୍ୟାଳୟ କିଛି ତଥ୍ୟ ଦେବା ପାଇଁ ମନାକରି ଦେଉଛନ୍ତି । ତେବେ ମୁଖ୍ୟ ସୂଚନା ଅଧିକାରୀଙ୍କ ଉପରୋକ୍ତ ରାୟକୁ ଅଭିଭାବକ ସଙ୍ଘ ସ୍ୱାଗତ କରିଛି ଯାହାଫଳ ଘରୋଇ ସ୍କୁଲ ଗୁଡିକର ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଯାଇ ପାରିବ ବୋଲି ରବିବାର ଶ୍ରମିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ଡ. ରାଉତ ସୂଚନା ଦେଇଛନ୍ତି ।