ସ୍କୁଲ ଫି ଛାଡ଼ ମାମଲାରେ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ , ଫି’ ନକମାଇବା ସପକ୍ଷରେ ସ୍କୁଲ୍‌ କର୍ତ୍ତୃପକ୍ଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ ଫି ଛାଡ଼ ମାମଲାରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ସ୍ପଷ୍ଟ ମତ ରଖିବାକୁ ଦେଲେ ନିର୍ଦ୍ଦେଶ । ସପ୍ତାହେ ମଧ୍ୟରେ ଏନେଇ ରିପୋର୍ଟ ଦେବାକୁ ଆଜି ବିଭାଗୀୟ ସଚିବଙ୍କୁ କହିଛନ୍ତି ହାଇକୋର୍ଟ । କେତେକ ଘରୋଇ ସ୍କୁଲ ପକ୍ଷରୁ ଇଣ୍ଟରଭେନିଂ ପିଟିସନ ଉପରେ ଶୁଣାଣି ପାଇଁ ଯୁକ୍ତି ରଖାଯାଇଥିଲେ ମଧ୍ୟ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ୭ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । କରୋନା ସମୟରେ ଘରୋଇ ସ୍କୁଲ ଫି’ ଛାଡ଼ କରିବା ନିମନ୍ତେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।

ଅପରପକ୍ଷରେ ସ୍କୁଲ୍‌ ଫି ନକମାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି ସ୍କୁଲ୍‌ କର୍ତ୍ତୃପକ୍ଷ । ଆଦାୟ ହେଉଥିବା ସ୍କୁଲ୍ ଫି’ର ୯୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କୁ ଦରମା ବାବଦରେ ଯାଉଛି । ବାକି ୧୦ ପ୍ରତିଶତ ଅର୍ଥରେ ସ୍କୁଲର ଆନୁସଙ୍ଗିକ ଖର୍ଚ୍ଚ ତୁଲାଯାଉଛି । ତେଣୁ ଫି କମିଲେ ସ୍କୁଲ୍‌ ପରିଚାଳନାରେ ଏହା ସଙ୍କଟ ସୃଷ୍ଟି କରିବ ବୋଲି ମତ ଦେଇଛନ୍ତି । ସେପଟେ ଆପୋଷ ସହମତିରେ କୌଣସି ସମାଧାନର ସୁତ୍ର ନ ବାହାରିଲେ କୋର୍ଟ ନିଷ୍ପତ୍ତି ନେବେ ବୋଲି ସୂଚାଇ ଦିଆଯାଇଛି ।

ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ବିଭିନ୍ନ ସ୍ଲାବରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଫି କମାଇବା ନେଇ ସୁପାରିଶ କରାଯାଇଥିଲା । ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି’ ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯିବନି । ରେସିଡେନ୍ସିଆଲ ସ୍କୁଲଗୁଡିକର ଫି ୩୦ ପ୍ରତିଶତ ହ୍ରାସ ପାଇଁ କମିଟି ସୁପାରିଶ କରିଥିଲେ ।

Leave a comment