“ଆତ୍ମନିର୍ଭର ଅର୍ଥବ୍ୟବସ୍ଥା” ଓ “ବଜେଟ-୨୦୨୨” ପ୍ରସଙ୍ଗରେ ବିଜେପି କାର୍ଯ୍ୟକାର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ବିକାଶର ନୂତନ ସମ୍ଭାବନା ସୃଷ୍ଟି କରିଛି । ଦେଶର ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଦିଗରେ ଗତ କାଲି ଉପସ୍ଥାପିତ ହୋଇଥିବା ବଜେଟ ଏକ ବଳିଷ୍ଠ ପଦକ୍ଷେପ । ଏହି ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ପକ୍କାଘର, ପାନୀୟ ଜଳ, ରୋଷେଇ ଗ୍ୟାସ, ବ୍ୟାଂକ ସୁବିଧା ପହଂଚଇବାର ବ୍ୟବସ୍ଥା କରାଯାଇଛି । ବଜେଟରେ ସବୁଜ ବିଶ୍ୱ ତିଆରିର କଳ୍ପନା କରାଯାଇଛି । ଡିଜିଟାଲ ଭାରତ ଗଠନ ନିମନ୍ତେ ଡିଜିଟାଲ ମୁଦ୍ରା ପ୍ରଚଳନ, ୫-ଜି ଟେଲିକମ ସେବା, ବନ୍ଦେ ଭାରତ ଏକ୍ସପ୍ରେସ ରେଳ, କିଷାନ ଡ୍ରୋନର ପ୍ରଚଳନ ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ପର୍ବତମାଳା ଯୋଜନା ଆରମ୍ଭ ହେବାକୁ ଯାଉଛି । ଏହାର ସୁଲାଭ ଗରୀବ, ମଧ୍ୟବିତ, ଅବହେଳିତ, ନିଷ୍ପେଷିତ ବ୍ୟକ୍ତିଙ୍କ ପାଖରେ ପହଂଚିବ । ଗତିଶକ୍ତି ଯୋଜନାରେ ବିଭିନ୍ନ ପ୍ରକାରର ଭିତିଭୁମି ଜରିଆରେ ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରାଯାଇପାରିବ ଏବଂ ଭିତିଭୁମି ନିର୍ମାଣ ପରେ ବହୁ ସଂଖ୍ୟାରେ ଶିଳ୍ପ ବାଣିଜ୍ୟ ଗଢି ଉଠିବ, ଯାହା ଫଳରେ ନିଯୁକ୍ତି ଆହୁରି ବୃଦ୍ଧି ପାଇବ । କୃଷିଜାତ ଦ୍ରବ୍ୟକୁ ମୁଲ୍ୟଯୁକ୍ତ କରିବା ପାଇଁ ନାବାର୍ଡ ମାଧ୍ୟମରେ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା ହୋଇଛି । ଆଧୁନିକ ଭାରତ ଗଠନର ସମୟ ଆସିଯାଇଛି ଏବଂ ଏହା ସଂପୂର୍ଣ୍ଣ ଭାବେ ଆତ୍ମନିର୍ଭର ବଜେଟ ବୋଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପି କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି କହିଛନ୍ତି ।

“ଆତ୍ମନିର୍ଭର ଅର୍ଥବ୍ୟବସ୍ଥା” ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶବ୍ୟାପୀ ବିଜେପି କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରିଛନ୍ତି । ଦେଶର ପାଖାପାଖି ୧୮୦୦ଟି ସ୍ଥାନରୁ ଭର୍ଚୁଆଲ ମୋଡରେ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଯୋଡି ହୋଇଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଐତିହାସିକ ବଜେଟ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ସାଂସଦ, ମୁଖ୍ୟମନ୍ତ୍ରୀ, ବିଧାୟକ, ରାଜ୍ୟ ସଭାପତି ଓ ପଦାଧିକାରୀଙ୍କ ସମେତ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ବରିଷ୍ଠ ନେତା ସଜ୍ଜନ ଶର୍ମା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିଭଳି ବହୁ ସଂଖ୍ୟାରେ ବିଜେପି ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଭର୍ଚୁଆଲ ମୋଡରେ ଯୋଡି ହୋଇଥିଲେ । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ଦୁରବସ୍ଥା କ୍ରମଶଃ ଦୂର ହେବାରେ ଲାଗିଛି । କରୋନା ମାହାମାରୀ ସତ୍ୱେ ଦେଶର ଅର୍ଥନୀତି ସୁଦୃଢ ଅଛି । ସମଗ୍ର ବିଶ୍ୱ ଆଜି ଭାରତ ବର୍ଷ ଉପରେ ଅନେକ ଆଶା ରଖିଛି । ଦୁରଦୃଷ୍ଟି ସଂପନ୍ନ ଏହି ବଜେଟର ପ୍ରଭାବ ଆଗାମୀ ଦିନରେ ନିଶ୍ଚିତ ରୂପେ ପ୍ରତିଫଳିତ ହେବ ଏବଂ ଯୁବ, ଚାଷୀ, ମହିଳା, ଗରୀବ ଓ ମଧ୍ୟବିତ ବର୍ଗ ସର୍ବାଧିକ ଲାଭାନ୍ୱିତ ହେବେ ବୋଲି ଡ.ଲେଖାଶ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ପକ୍କାଘର, ଜଳ ଜୀବନ ମିଶନରେ ପାନୀୟ ଜଳ, ଆକାଂକ୍ଷୀ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟବରାଦ ହୋଇଥିବାରୁ ଓଡିଶା ଭଳି ପଛୁଆ ରାଜ୍ୟ ସର୍ବାଧିକ ଲାଭବାନ ହେବ । ରାଜ୍ୟ ସରକାର ଏ ସମସ୍ତ ଜନକଲ୍ୟାଣ ଯୋଜନାକୁ ରାଜ୍ୟର ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରି ଓଡିଶା ରାଜ୍ୟକୁ ବିକଶିତ କରାଇବାର ସଠିକ୍ ଦାୟୀତ୍ୱ ତୁଲାନ୍ତୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Leave a comment