ଅକ୍ଟୋବର ରୁ ଖୋଲିବ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ସ୍କୁଲ!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣ କମୁଥିବାରୁ ଅକ୍ଟୋବର ରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ବିଚାର ବିମର୍ଷ ଚଳାଇଛନ୍ତି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ ।
ପ୍ରାଥମିକ ବିଦ୍ୟାଳୟ ଖୋଲିବା ସପକ୍ଷରେ ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେଣି। ସେମାନେ କହୁଛନ୍ତି ଛୋଟ ପିଲାଙ୍କୁ ଟିକାକରଣ ପର୍ଯ୍ୟନ୍ତ ଅପେକ୍ଷା କରିବା ଅନୁଚିତ। ଛୋଟ ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। କରୋନା ମୁକାବିଲାରେ ସେମାନେ ସକ୍ଷମ। ତେଣୁ ପିଲାଙ୍କୁ କରୋନା ପାଇଁ ପାଠପଢାରୁ ବଞ୍ଚିତ କରାଯିବା ଅନୁଚିତ। ଯାହାକୁ ଆଧାର କରି ରାଜ୍ୟ ସରକାର ବିଚାରବିମର୍ଶ ଚଲାଇଛନ୍ତି।
ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି। ଦୁଇ ଦିନ ତଳେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ବିଶଦ ଆଲୋଚନା ବି ହୋଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଖୋଲିବା ନେଇ ଯେକୌଣସି ସମୟରେ ନିଷ୍ପତ୍ତି ନିଆଯାଇପାରେ। ରାଜ୍ୟ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।