ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସା ଓ ଗୁଣ୍ଡାଗିରିକୁ ନେଇ ବର୍ଷିଲେ ନିରଞ୍ଜନ

0

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି ବୋଲି ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି, ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାର ଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି । ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ, ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ । ଏ ରାଜ୍ୟରେ ୨୨ ବର୍ଷର ବିଜେଡ଼ି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣାଛଡ଼ା ସାଧାରଣ ଜନତାଙ୍କର ସମସ୍ୟାକୁ ଦୂର କରିବାରେ ଅସମର୍ଥ ହୋଇଛି । ପ୍ରଥମଥର ପାଇଁ ଭାରତ ବର୍ଷ ଏଭଳି ଏକ ପ୍ରଧାନମନ୍ତ୍ରୀ ପାଇଛି ଯାହାଙ୍କର ପ୍ରତିଦିନର ମୁଖ୍ୟ କାମ ହେଉଛି ମିଛ କହିବା ଏବଂ ମିଛକୁ ସତରେ ପରିଣତ କରିବା ପାଇଁ ଗଣମାଧ୍ୟମକୁ ଅସ୍ତ୍ରରୂପେ ବ୍ୟବହାର କରିବା ।

ଶ୍ରୀ ପଟ୍ଟନାୟକ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସା ଓ ଗୁଣ୍ଡାଗିରି କଥା ଉଠାଇଲେ । ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତମାନର ବିଜେଡ଼ି ବିଧାୟକଙ୍କୁ ପଂଚାୟତକୁ ଆସିଥିବା ଅର୍ଥ ବାବଦରେ ପ୍ରଶ୍ନଟିଏ ପଚାରିଥିଲେ । ଏକ ପ୍ରଶ୍ନ ପଚାରିବା କ’ଣ ବଡ଼ ଅପରାଧକି? ଏଥିଯୋଗୁଁ ବିଜେଡ଼ି ବିଧାୟକ ମୋହଦୟ ପୂର୍ବତନ ବିଧାୟକଙ୍କୁ ମାରିବା ଓ ତାଙ୍କୁ ଅପମାନିତ କରିବା ଆମ ଗଣତନ୍ତ୍ର ପ୍ରତି ଉପହାସ କି ନାହିଁ? ସୁବ୍ରତ ବାଗଚି ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରି କହିଲେ ଯେ ସେମାନେ ତାଙ୍କଦ୍ୱାରା ଅର୍ଜିତ ଅର୍ଥକୁ କିଭଳି ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାପାଇଁ ସେ ଚେଷ୍ଟିତ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଯଦି ଏ ରାଜ୍ୟର ଶାସନ ବ୍ୟବସ୍ଥା ସ୍ୱଚ୍ଛ ତାହାହେଲ ଅଙ୍ଗନୱାଡ଼ି କର୍ମଚାରୀ, କନେଷ୍ଟବଳ, କିରାଣୀ ଓ ଏମାନଙ୍କ ପାଖରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସଂପତି ଆସୁଛି କେଉଁଠୁ?

ଯଦି ଏମାନଙ୍କ ପାଖରୁ ଏତେ ଟଙ୍କା ବାହାରୁଛି ତାହାହେଲେ ୨୨ ବର୍ଷର ସରକାରଙ୍କର ଏମଏଲଏ, ମନ୍ତ୍ରୀ ଓ ଦଳର ବିଭିନ୍ନ ଛାମୁଆ ତଥା ବଡ଼ ବଡ଼ ବାବୁମାନଙ୍କ ପାଖରେ କେତେ ଶହ କୋଟି ଟଙ୍କା ଅଛି । ଏସବୁର ହିସାବ ନବୀନ ବାବୁ ୨୨ ବର୍ଷଭିତରେ ଥରୁଟିଏ ଦେଲେ ନାହିଁ । ପରିବର୍ତନ ଆପେ ଆପେ ଆସେ ନାହିଁ ଜନସାଧାରଣଙ୍କ ଦ୍ୱାରା ପରିବର୍ତନ ହିଁ ଆସେ । ତେଣୁ ଓଡ଼ିଶାର ଚାରି କୋଟି ୫୦ଲକ୍ଷ ଭାଗ୍ୟ ବିଧାତାଙ୍କୁ ମୋର ବିନମ୍ର ନିବେଦନ ଓ ଅନୁରୋଧ ଆପଣ ଏକ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର କରି ଆସନ୍ତା ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚିତ କରନ୍ତୁ । ଲୋକ ଅନୁଭବ କଲେଣି ପରିବର୍ତନ ଏକାନ୍ତ ଆବଶ୍ୟକ । ଆପଣମାନେ ପରିବର୍ତନର ବାହାକ ହୁଅନ୍ତୁ, ପରିବର୍ତନ ଅପରିହାର୍ଯ୍ୟ । ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ ଦୁର୍ନୀତି, ଭ୍ରଷ୍ଟାଚାର, ବାହୁବଳ ଓ ଅର୍ଥବଳ, ହିଂସା ଓ ନିର୍ଯ୍ୟାତନାକୁ ଯଦି ଆମେ ପୃଷ୍ଠପୋଷକତା କରିବୁ ଆମ ଗଣତନ୍ତ୍ର ନିଶ୍ଚୟ ଅଧିକରୁ ଅଧିକ ନିମ୍ନଗାମୀ ହେବ ।

ରାଜ୍ୟରେ ଓବିସିିସି ମାନଙ୍କୁ ନେଇ ଉଭୟ ରାଜନୈତିକ ଦଳ ବହୁତ କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କର ହକ୍‌କୁ ରାଜ୍ୟ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଦେବାରେ ବିଫଳ । କିନ୍ତୁ ଏହି ତ୍ରିସ୍ତ୍ରରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ୪୪.୭୮ ପ୍ରତିଶତ ଓବିସି ବର୍ଗରୁ ପ୍ରାର୍ଥୀ ଦେଇଛି । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ରାଜନୀତି କରିବା ଉଚିତ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଉପଦେଶ ଦେଇଛନ୍ତି ।

Leave a comment