୫ ଜଣ ଓଡ଼ିଆ କଳାକାରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀରେ ଏକ ସ୍ବତନ୍ତ୍ର କାର୍ଯକ୍ରମରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି । ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ୧୨୮ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସଙ୍ଗୀତ କଳା, ନୃତ୍ୟ, ଥିଏଟର, ପାରମ୍ପରିକ, ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କଳାକାର ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ କଳାକାର ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି । ଓଡ଼ିଶୀ ନୃତ୍ୟ ସଙ୍ଗୀତ-୨୦୨୧ ପାଇଁ ଡକ୍ଟର ବିଜୟ କୁମାର ଜେନା ପୁରସ୍କୃତ ହୋଇଥିବା ବେଳେ ନାଟ୍ୟ ନିର୍ଦ୍ଦେଶନା-୨୦୨୧ ପାଇଁ ମନୋଜ କୁମାର ପଟ୍ଟନାୟକ ପୁରସ୍କୃତ ହୋଇଛନ୍ତି । ସେହିପରି ସୁଗମ ସଙ୍ଗୀତ-୨୦୨୧ ପାଇଁ ସୁସ୍ମିତା ଦାସ, ଓଡ଼ିଶୀ ପାଇଁ ରବୀନ୍ଦ୍ର ଅତିବୁଦ୍ଧି, ଛଉ ନୃତ୍ୟ-୨୦୨୦ ପାଇଁ ତ୍ରିଲୋଚନ ମହାନ୍ତ ପୁରସ୍କୃତ ହୋଇଛନ୍ତି ।
ଭାରତୀୟ ପରମ୍ପରାରେ, କଳା ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ । ଏହା ଏକ ସଞ୍ଜୀବନୀ, ସତ୍ୟର ସନ୍ଧାନ ପାଇଁ ମଧ୍ୟ ଏହା ଏକ ମାଧ୍ୟମ । ଉପାସନା ଏବଂ ପ୍ରଶଂସା କଳା ମାଧ୍ୟମରେ ହିଁ କରାଯାଇଥାଏ । ଏହି ପୁରସ୍କାର କଳା ପ୍ରଦର୍ଶନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଅଟେ, ତେଣୁ ସମସ୍ତ ପୁରସ୍କାର ବିଜେତାଙ୍କୁ ବିଶେଷ ଅଭିନନ୍ଦନ ଜଣାଉଛି ବୋଲି ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି । ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ୫ ଓଡ଼ିଆ କଳାକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଙ୍ଗୀତ, ନୃତ୍ୟ, ନାଟକ କ୍ଷେତ୍ରରେ କଳାକାରଙ୍କ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି କେନ୍ଦ୍ରମନ୍ତ୍ରୀ ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।