କିଏ ବାଜି ମାରିବ ରାଷ୍ଟ୍ରପତି ଗାଦି; ଆଜି ନିର୍ବାଚନ

0

କିଏ ହେବ ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶର ପଞ୍ଚଦଶ ରାଷ୍ଟ୍ରପତି । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିରୋଧି ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ଆଜି ଉଭୟଙ୍କ ଭାଗ୍ୟ ଲିଖନ ହେବ । ଆଜି ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଦେଶର ସମସ୍ତ ସାଂସଦ ଓ ସବୁ ରାଜ୍ୟର ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ । ମୋଟ ୪୮୦୯ ସାଂସଦ ଓ ବିଧାୟକ ମତ ସାବ୍ୟସ୍ତ କରି ଦେଶର ପ୍ରଥମ ନାଗରିକଙ୍କୁ ବାଛିବେ । ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ଚାଲିବ ।

ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଥିଲେ । ତାଙ୍କ ସପକ୍ଷରେ 60ପ୍ରତିଶତରୁ ଅଧିକ ଭୋଟ ଥିବାରୁ ତାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି । ଯଦି ଦ୍ରୌପଦୀ ବାଜି ମାରନ୍ତି ତେବେ ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ । ଏନଡିଏ ସମେତ ବିଜେଡି, ୱାଇଏସଆର କଂଗ୍ରେସ, ବିଏସପି, ଶିରୋମଣି ଅକାଳୀ ଦଳ, ଏଲଜେପି-ରାମବିଳାସଙ୍କ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି ।

ସେହିପରି ମିଳିତ ବିରୋଧୀ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା । ରାଜନୀତି ଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଯଶୋବନ୍ତ, ୧୯୬୦ରେ ଭାରତୀୟ ପ୍ରଶାସନିକ ସେବା(IAS) ପାଇଥିଲେ । ଏହାସହ ବ୍ୟୁରୋକାଟ ଭାବେ ଯଶୋବନ୍ତ ୨୪ ବର୍ଷ କାର୍ଯ୍ୟ କରିଥିଲେ । ଏହି ୨୪ ବର୍ଷ ମଧ୍ୟରେ ଯଶୱନ୍ତ ବାଣିଜ୍ୟ ମନ୍ତ୍ରଣାଳୟର ଉପସଚିବ ଭାବେ ମଧ୍ୟ କାମ କରିଛନ୍ତି । ସମର୍ଥନ ଦୃଷ୍ଟିରୁ ଦ୍ରୌପଦୀ ଆଗରେ ଥିବା ବେଳେ ଯଶୋବନ୍ତ ବି କଡ଼ା ଟକ୍କର ଦେବେ । କଂଗ୍ରେସ, ଟିଏମସି, ଏନସିପି, ସିପିଆଇ ଏବଂ ସିପିଆଇଏମ୍, ସିପିଏମ୍ଏଲ୍, ଡିଏମକେ, ଆରଜେଡି, ଏସପି, ନ୍ୟାସନାଲ୍ କନଫରେନସ୍, ପିଡିପି, ଆରଏଲ୍ଡି, ଆରଏସ୍ପି, ଆଇୟୁଏଲଏଲ୍, ଟିଆରଏସ ଭଳି ରାଜନୈତିକ ଦଳ ଯଶୋବନ୍ତଙ୍କୁ ସମର୍ଥନ କରୁଛନ୍ତି ।

Leave a comment