ମହାପ୍ରଭୁଙ୍କୁ ଦର୍ଶନ କରିବେ ମହାମହିମ : କୋଭିଡ଼ କଟକଣାରେ ସବୁ ବ୍ୟବସ୍ଥା, ପଣ୍ଡା-ସେବାୟତଙ୍କ ସହ ସବୁ ଅଧିକାରୀଙ୍କ ହେବ କରୋନା ଟେଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ। ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ମଧ୍ୟାହ୍ନ ୧୨ ଟାରୁ ୧ଟା ମଧ୍ୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ।
ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ଭବନର ସୁପାରିଶ ଆଧାରରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କୁ ରାଷ୍ଟ୍ରପତିଙ୍କ ସହ ଯିବାର ଅନୁମତି ମିଳିବ । ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। ଗତ ୨୦୧୮ ମସିହା ମାର୍ଚ୍ଚ ୧୮ ତାରିଖରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସିଥିବା ବେଳେ ଏହା ତାଙ୍କର ଦ୍ବିତୀୟ ଗସ୍ତ।