ପ୍ରସ୍ତୁତି ପଥେ ନବୀନଙ୍କ ୫ମ ଇଂନିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୯ରେ ଅନୁଷ୍ଠିତ ହେବ ନବୀନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଭାବେ ୫ମ ଥର ନିର୍ବାଚନରେ ବିଜୟଲାଭ କରି ସରକାର ଗଠନ କରିବାକୁ ଯାଉଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ବୁଧବାର ପୂର୍ବାହ୍ନ ୧୦ଟା ୩୦ରୁ ଏହି ଉତ୍ସବ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ତେଣୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନୂଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ ।
ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ବିଜେଡି ସରକାର ଗଠନ କଲେ ପୁରୀରେ ଏକ ବିଶାଳ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଥିଲା । ମାତ୍ର ବାତ୍ୟା ‘ଫନି’ ଉପକୂଳ ଓଡ଼ିଶା ଓ ବିଶେଷ କରି ପୁରୀରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ତେଣୁ ବିଜେଡି ପକ୍ଷରୁ ଶପଥ ଗ୍ରହଣ ସମାରୋହ ନିରାଡ଼ମ୍ବର ଭାବେ କରିବାକୁ ସ୍ଥିର ହୋଇଥିଲା । ବର୍ତ୍ତମାନ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇ ପ୍ରଦର୍ଶନୀ ପଡ଼ିଆରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଟେଣ୍ଟ ଓ ମଞ୍ଚ ବନ୍ଧା ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ପଡ଼ିଆର ପ୍ରାୟ ଅଧା ଅଞ୍ଚଳରେ ଶୀତତାପ ନିୟନ୍ତ୍ରିତ ଟେଣ୍ଟ ବାନ୍ଧିବାକୁ ନିଷ୍ପତ୍ତି ହୋଇଛି । ପଡ଼ିଆର ବିଭନ୍ନ ସ୍ଥାନରେ ୨୦ରୁ ଅଧିକ ଏଲ୍ଇଡି ସ୍କ୍ରିନ୍ ଲାଗିବ। ଏହାସହ ରାଜଧାନୀର ବିଭିନ୍ନ ସ୍ଥାନରେ ଶପଥ ଗ୍ରହଣ ଉତ୍ସବର ଲାଇଭ୍ ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି।
ସେହିପରି ବାତ୍ୟା ପରେ କଟାଯାଇଥିବା ଗଛ ଓ ଏହାର ଡାଳଗୁଡ଼ିକୁ ବିଏମ୍ସି ଓ ପୂର୍ତ୍ତ ବିଭାଗ ଅଧିକ୍ଷରୀଙ୍କ ଉପସ୍ଥିତରେ ଖାଲି କରାଯାଉଛି । ନବୀନଙ୍କ ଏହି ଐତିହାସିକ ଶପଥ ଗ୍ରହଣକୁ ଚିରସ୍ମରଣୀୟ କରିବାକୁ ପ୍ରଥମ ଥର ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି । ତେଣୁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା,ପ୍ରଶାସନିକ ଅଧିକାରୀ କିଶନ କୁମାର, କମିଶନର ସତ୍ୟଜିତ ମହାନ୍ତି ପ୍ରମୁଖ ପ୍ରଦର୍ଶନୀ ପଡ଼ିଆରେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁଛନ୍ତି ।