ଖୁବଶୀଘ୍ର ଲାଗିବ ପ୍ରିପେଡ୍ ବିଜୁଳୀ ମିଟର, ସର୍ବନିମ୍ନ ୨୦ ଟଙ୍କାରେ କରିହେବ ରିଚାର୍ଜ ।
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ମିଳିବ ୨୪ ଘଣ୍ଟିଆ ବିଜୁଳି ସେବା । ଆସନ୍ତା ତିନିବର୍ଷ ମଧ୍ୟରେ ସମଗ୍ର ଭାରତରେ ପ୍ରତି ଘରେ ପ୍ରିପେଡ୍ ମିଟର ଲାଗିବାର ଲକ୍ଷ୍ୟ ରଖିଛି କେନ୍ଦ୍ରସରକାର । ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଦ୍ୱିଦିବସୀୟ ସମ୍ମିଳନୀ ରେ କେନ୍ଦ୍ର ବିଜୁଳୀ ମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି, “୧୬ ମାସ ଭିତରେ ୨.୬୬ କୋଟି ଘରକୁ ବିଜୁଳୀ ସଂଯୋଗ ଦିଆଯାଇଛି । ଏବେ ସରକାରଙ୍କ ନୂଆ ଲକ୍ଷ୍ୟ ପ୍ରତିଘରକୁ ୨୪ ଘଣ୍ଟିଆ ବିଜୁଳୀ ପହଁଚାଇବା ରହିଛି । ଏହାସହ ଯଦି ବିନା କାରଣରୁ କେଉଁ ସ୍ଥାନରେ ପାୱାର୍ କଟ ହୁଏ ତେବେ ବିଜୁଳୀ ବିତରଣ କମ୍ପାନୀ ଉପରେ ଜରିମାନା ଲଗାଯିବ ଏବଂ ଏହାର ବିତରଣ ଗ୍ରାହକଙ୍କ ମଧ୍ୟରେ କରାଯିବ” ।
ସେହିପରି କୃଷି ପମ୍ପ ସୋଲାର ସିଷ୍ଟମ କରାଯିବ ଯାହାକୁ ଗ୍ରୀଡ୍ ସହ ସଂଯୋଗ କରାଯିବ । ସୋଲାର ସିଷ୍ଟମରେ ପମ୍ପ ଚାଲିବ । ଏବଂ ବଳକା ବିଜୁଳୀ ଗ୍ରୀଡକୁ ଦିଆଯିବ । ଯାହାକି କୃଷକଙ୍କ ଆୟ ବଢାଇବ । ଅପରପକ୍ଷରେ ପ୍ରିପେଡ୍ ମିଟର ପାଇଁ କେନ୍ଦ୍ରସରକାର ପୁଞ୍ଜିନିବେଶ କରିବେ । ଏହି କାମକୁ ୩ ବର୍ଷ ଭିତରେ ପୂରଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ କୁହାଯାଇଛି । ବିଜୁଳୀ ମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି, ୩ ବର୍ଷ ଭିତରେ ପ୍ରତିଘରେ ପ୍ରିପେଡ୍ ମିଟର ଲଗାଯିବ । ଯେଉଁଥିରେ ସବୁ ରାଜ୍ୟ ମଧ୍ୟ ଏକମତ ଅଛନ୍ତି । ଅନେକ ରାଜ୍ୟ ଏକବର୍ଷ ମଧ୍ୟରେ ହିଁ ଏହିକାମକୁ ସମ୍ପୁର୍ଣ୍ଣ କରିବାକୁ ଚାହୁଁଛନ୍ତି । ଏଥିରେ ଗରିବ ଶ୍ରେଣୀର ଗ୍ରାହକ ୨୦ ଟଙ୍କା ବିଜୁଳୀ ରିଚାର୍ଜ କରିବାର ସୁବିଧା ପାଇପାରିବେ ।