ମୁଁ ଜିତିବି, ମୋ ଓଡିଶା ଜିତିବ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ ଯେପରି ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା ମଧ୍ୟ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟବାସୀଙ୍କ ସହିତ ସାମିଲ ହୋଇଛନ୍ତି।
ଏହି ଲଢେଇରେ ୨୫ ଜଣ କୋଭିଡ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେହି ଯୋଦ୍ଧା ମାନଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସାରା ରାଜ୍ୟ ଆଜି ସଂଧ୍ୟା ୬ଟାରେ ଏକ ମିନିଟ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଏହି ନୀରବ ପ୍ରାର୍ଥନାରେ ସାରା ରାଜ୍ୟର ଜନସାଧାରଣ, ବିଭିନ୍ନ ଅଫିସ, ଅନୁଷ୍ଠାନର କର୍ମଚାରୀ ଭାଗ ନେଇ ଶହୀଦ କରୋନା ଯୋଦ୍ଧାଙ୍କ ପ୍ରତି ଜାତିର କୃତଜ୍ଞତା ଅର୍ପଣ କରିଛନ୍ତି ।
ନିଜ ପରିବାର ଓ ବ୍ୟକ୍ତିଗତ ସୁଖ ସୁବିଧାକୁ ପଛରେ ପକାଇ ଆମର କୋଭିଡ ଯୋଦ୍ଧା ମାନେ ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ନିଷ୍ଠାର ସହ ଯେପରି ସେବା କରିଚାଲିଛନ୍ତି, ତାକୁ ଉତ୍ସାହିତ କରିବା ଏବଂ ତାଙ୍କର ଏହି ମହତ୍ କାର୍ଯ୍ୟକୁ ଦୃଢ ସମର୍ଥନ ଦେବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସହଯୋଗ, ସଚେତନତା ଓ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାର ଶପଥ ପାଠ କରାଇଥିଲେ। ମୁଁ ଜିତିବି, ମୋ ଓଡିଶା ଜିତିବ ଓ ମାନବ ଜାତି ବି ଜିତିବ; ଏହି ସଂକଳ୍ପ ନେଇ କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ସହିତ କୋଭିଡ ନିୟମାବଳୀର ଅନୁପାଳନ ଓ କୋଭିଡ ଯୋଦ୍ଧାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମ୍ମାନ ଜଣାଇବା ପାଇଁ ମଧ୍ୟ ସମସ୍ତେ ଶପଥ ନେଇଥିଲେ। ଏହି ଶପଥରେ କୁହାଯାଇଥିଲା :
୧- ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ୍ ଯୋଦ୍ଧାଙ୍କୁ ପୂରା ସହଯୋଗ କରିବି ଓ ସମ୍ମାନ ଜଣାଇବି।
୨- କୋଭିଡ୍ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ।
୩- ପ୍ରତିଟି ଲୋକର ଲଢ଼େଇ।
୪- ଏ ଲଢ଼େଇରେ ମୁଁ ବି ସାମିଲ୍।
୫- କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ।
୬- ମୁଁ ନିଜେ କୋଭିଡ୍ ନିୟମାବଳୀ ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିଲାଗି ସଚେତନ କରିବି।
୭- କରୋନା ବିରୁଦ୍ଧରେ ଲଢ଼େଇକୁ ମଜବୁତ୍ କରିବି।
୮- ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଏବଂ ମାନବ ଜାତି ବି ଜିତିବ।
ଆଜି ମୁଖ୍ୟମନ୍ତ୍ରୀ ନିରବ ପ୍ରାର୍ଥନାର ଠିକ ୨ ମିନିଟ୍ ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ହେବା ପରେ କୋଭିଡ୍ ଯୋଦ୍ଧାମାନଙ୍କ ଅବଦାନ ଉପରେ ୨ ମିନିଟର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହାପରେ ୧ ମିନିଟ୍ ଲାଗି ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ୬.୦୧ ମିନିଟରେ ଓଡ଼ିଶାରେ କୋଭିଡ୍ ଯୁଦ୍ଧ ଓ ୨୫୦୦୦ରୁ ଅଧିକ ସୁସ୍ଥ ହେବାକୁ ନେଇ ୩ ମିନିଟର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଠିକ୍ ୬.୦୪ ମିନିଟରେ ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ୮ ସୂତ୍ରୀ ଶପଥ ପତ୍ର ପାଠ କରାଇଥିଲେ।