ମନ୍ଦିର ଖୋଲିବା ଦାବିରେ ଆଜିଠୁ ୧୦ ଦିନ ପର୍ଯ୍ୟନ୍ତ ଘଣ୍ଟ ବଜାଇ ପ୍ରତିବାଦ କରିବେ ସେବାୟତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦା ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର ସମ୍ମୁଖରେ ଆଜି ପୂର୍ବାହ୍ଣ ୯ଟାରୁ ୯ ମିନିଟ ଧରି ପୁଣି ଘଣ୍ଟ ପ୍ରତିବାଦ ହୋଇଛି। ଘଣ୍ଟା ବଜାଇ ପ୍ରତିବାଦର ସ୍ୱର ଉଠାଇଲେ ମନ୍ଦିର ସେବାୟତ ସଂଘ। ଆଜି ଠାରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ୯ ମିନିଟ ଲେଖାଏଁ ପ୍ରତିଦିନ ଘଣ୍ଟ ବଜାଇ ପ୍ରତିବାଦ କରିବେ ସେବାୟତ ସଂଘ।

ବିଗତ ଦିନରେ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଗୁଡିକ ଖୋଲିବାପାଇଁ ମନ୍ଦିର ସେବାୟତ ସଂଘ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା। ସରକାର ଏମାନଙ୍କ କଥା ନଶୁଣିବାରୁ ପୂର୍ବରୁ ଏମିତି ଦୁଇଥର ମନ୍ଦିର ସମ୍ମୁଖରେ ଘଣ୍ଟା ବଜାଇ ସରକାରଙ୍କୁ ପ୍ରତିବାଦ ମଧ୍ୟ କରିଛନ୍ତି। ସେବାୟତଙ୍କ କହିବା ଅନୁଯାୟୀ ରାଜ୍ୟରେ ବସ ଚଳାଚଳ ଠାରୁ ଆରମ୍ଭ କରି ମଦଦୋକାନ ପର୍ଯ୍ୟନ୍ତ ଖୋଲା ଯାଇଛି, ହେଲେ ଧର୍ମାନୁଷ୍ଠାନ ଖୋଲିବାରେ ବିଳମ୍ବ କ’ଣ ପାଇଁ କରୁଛନ୍ତି। ଅନ୍ୟ ରାଜ୍ୟ ଗୁଡିକରେ ମନ୍ଦିର ଖୋଲା ହୋଇସାରିଥିଲେ ସୁଦ୍ଧା ଓଡିଶା ସରକାର ମନ୍ଦିର ଗୁଡିକରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରିରଖିଛନ୍ତି। ଫଳରେ ସେବାୟତମାନେ ପରିବାର ପ୍ରତିପୋଷଣ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁବାର ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ପରେ ଆଜିଠାରୁ ପୁଣିଥରେ ସେବାୟତମାନେ ଧର୍ମାନୁଷ୍ଠାନ ସମ୍ମୁଖରେ ଘଣ୍ଟା ବଜାଇ ସରକାରଙ୍କୁ ମନ୍ଦିର ଖୋଲିବା ପାଇଁ ଦାବି ଜଣାଇବା ପାଇଁ ଚେଷ୍ଟା କରିଛନ୍ତି।

Leave a comment