ଲୋକସଭାରେ ୫ଟି ଭାଷାରେ ଅଭିଭାଷଣ ରଖିଲେ ପ୍ରତାପ
ମୋଦି ଓ ପ୍ରତାପଙ୍କୁ ସମାଲୋଚନା କଲା କଂଗ୍ରେସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣିଥରେ ପ୍ରସଂଶା ସାଉଁଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପ୍ରଥମ ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି । ସେ ହିନ୍ଦୀ, ଇଂଲିଶ, ସଂସ୍କୃତ, ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ସେ ତାଙ୍କର ଅଭିଭାଷଣ ଦେଇଛନ୍ତି । ସେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ତାଙ୍କର ‘ସବ କା ସାଥ ସବ କା ବିକାଶ’ ବିଷୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକମାନେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ତାଙ୍କୁ ପୁଣି ଥରେ ର୍ନିବାଚିତ କରିଛନ୍ତି ବୋଲି କହିବା ସହିତ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ । ପ୍ରତାପଙ୍କ ଅଭିଭାଷଣ ଶୈଳୀକୁ ଲୋକ ସଭାର ସଦସ୍ୟମାନେ ବେଶ ଉପଭୋଗ କରିଥିଲେ । ପ୍ରତାପଙ୍କ ଅଭିଭାଷଣ ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଗନ୍ଦି ନାଲି ବା ଅଳିଆ ଆବର୍ଜନା ଥିବା ନାଳ ସହ ତୁଳନା କରିବା ସହ ପ୍ରତାପଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ।
ସେ କହିଛନ୍ତି, ଦେଶରେ ଏବେ ଜଳ ସମସ୍ୟା ଓ ଶିଶୁ ମୃତ୍ୟୁ ବଢ଼ି ଚାଲିଥିବା ବେଳେ ସରକାର ଆଖିରେ ପଟି ବାନ୍ଧି ବସିଛନ୍ତି । ପ୍ରତାପ ଷଡ଼ଙ୍ଗୀ ଜଣେ ଭଲ ନେତା ଓ ଭଲ ବକ୍ତା । କିନ୍ତୁ ସେ କଥାରେ କଥାରେ ମୋଦିଙ୍କୁ ଅଧିକ ପ୍ରଶଂସା କରିପକାଇଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ କରେ । କିନ୍ତୁ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ କିଛି ନେତା ମୋଦିଙ୍କୁ ଯେଉଁଭଳି ପୂଜା କରୁଛନ୍ତି, ତାହା ଠିକ ନୁହେଁ ବୋଲି ଚୌଧୁରୀ କହିଥିଲେ ।