ପ୍ରମିଳାଙ୍କୁ ପ୍ରଚାର କରିବାକୁ ବାରଣ କଲେ ନିର୍ବାଚନ କମିଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରମିଳା ମଲ୍ଲିକଙ୍କ ନିର୍ବାଚନ ପ୍ରଚାରରେ ଲାଗିଲା ରୋକ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ନିର୍ବାଚନୀ ପ୍ରଚାର । ତାଙ୍କୁ କାରଣ ଦର୍ଶାଅ ନୋଟିସ ସହ ୪୮ ଘଣ୍ଟା ନିର୍ବାଚନ ପ୍ରଚାର ମଇଦାନରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ପ୍ରମିଳା ବିରୁଦ୍ଧରେ ଆଚରଣ ବିଧି ଉଲଂଘନ ଅଭିଯୋଗ ଆସିବା ସହ ସେ ଭୋଟରଙ୍କୁ ଧମକ ଦେବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା । ଏହାକୁ ଆଧାର କରି ନିର୍ବାଚନ କମିଶନ ଏଭଳି ପଦକ୍ଷପ ନେଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ନିଜ ନିର୍ବାଚନ ମଣ୍ଡଳୀରେ ଦୁଇଦିନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ସବୁ ବନ୍ଦ ବୋଲି କହିଥିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା ଏକ ଦଳୀୟ ପ୍ରଚାର କରୁଥିବା ସମୟରେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଥିଲେ ଯେ, ସେ କୌଣସି ଆଇନ ଉଲଂଘନ କରିନାହାଁନ୍ତି । ଏବଂ ପୁଣି ଥରେ ପୂର୍ବ କଥାକୁ ଦୋହରାଇଥିଲେ । ତାଙ୍କ ସଫେଇରେ କହିଥିଲେ ଯେ, ‘ଯିଏ ପ୍ରାର୍ଥୀଙ୍କୁ ଭୋଟ ନଦେବେ ଓ ଅନ୍ୟକୁ ଭୋଟ ଦେଇ, ପରେ ସମସ୍ୟା ନେଇ ତାଙ୍କ ପାଖକୁ ଆସିବେ ତାହେଲେ ସେ କାହିଁକି ଶୁଣିବେ । ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା କହିବାରେ କୌଣସି ଭୁଲ ନାହିଁ ।’

Leave a comment