ଦେଶର ସର୍ବବୃହତ୍ ବନ୍ଦର ହେବ ପାରାଦୀପ: ନୀତିନ ଗଡ଼କରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ ପଲିପ୍ରୋପିଲିନ ୟୁନିଟ, କ୍ଲିନ କାର୍ଗୋ ଲାଗି ପାରାଦୀପ ବନ୍ଦରରେ ମଲ୍ଟି ପରପସ ବର୍ଥର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ଦାମୋଦର ରାଉତ, ଇଣ୍ଡିଆନ ଅଏଲ ଅଧ୍ୟକ୍ଷ ସଞ୍ଜିବ ସିଂ, ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ପୂର୍ବତଟ ରେଲଓ୍ବେ ଅଧିକାରୀ ପି.ଏସ୍.ମିଶ୍ର ଉପସ୍ଥିତ ଥିଲେ । ସଭାରେ ଯୋଗଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ପାରାଦୀପ ରିଫାଇନେରିରେ ମନୋଏଥିଲିନ ଗ୍ଲାଇକଲ(ଏମଇଜି)ୟୁନିଟର ଭିତ୍ତିପ୍ରସ୍ତର, ପାରାଦୀପ ପୋର୍ଟର ଇକ୍ୱେ-୧,୨ ଏବଂ ୩ ବର୍ଥର ମେକାନାଇଜେଶନ,ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ ଭଳି ଅନ୍ୟ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଗଡ଼କରୀ କହିଥିଲେ, ଗତ ୩ବର୍ଷ ପୂର୍ବେ ମୁଁ ଯେଉଁ ଯୋଜନାଗୁଡ଼ିକ ଘୋଷଣା କରିଥିଲି ସେ ସବୁର କାର୍ଯ୍ୟ ଏବେ ଆରମ୍ଭ ହୋଇଯାଇଛି । ପାରାଦୀପ ବନ୍ଦରର ୨୦୧୭-୧୮ ଆର୍ଥିକ ବର୍ଷରେ ଲାଭର ପରିମାଣ ୭୫୦ କୋଟି ଟଙ୍କାରେ ପହଞ୍ଚିଛି । ପାରାଦୀପ ବନ୍ଦର ଆଗାମି ବର୍ଷକ ମଧ୍ୟରେ ଦେଶର ସର୍ବବୃହତ ବନ୍ଦର ଭାବେ ଉଭା ହେବ ବୋଲି ଗଡ଼କରୀ ତାଙ୍କ ବକ୍ତବ୍ୟରେ କହିଥିଲେ ।
ତେବେ ସାଧାରଣ ସଭା ପୂର୍ବାହ୍ନ ୧୦ଟା ବେଳେ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ମନ୍ତ୍ରୀମାନେ ୨ଟା ବେଳେ ପହଞ୍ଚିଥିଲେ । ଫଳରେ ବହୁ ଲୋକ ପ୍ରତିନିଧି ଓ ସାଧାରଣ ଲୋକ ସଭାସ୍ଥଳ ଛାଡି ପଳାଇଥିବା ଦେଖିବାକୁ ମିଳିଥିଲା ।