ରାଜନୈତିକ ହିଂସା, ସରପଞ୍ଚଙ୍କ ଘର ପୋଡ଼ିଲେ ଦୁର୍ବୃତ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଲା । ଅନେକ ସ୍ଥାନରେ ଆଶାୟୀ ଦଳୀୟ ଟିକେଟ ନପାଇ ଅସନ୍ତୁଷ୍ଟ ହେବା ସହ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା ସବୁଠାରୁ ଅଧିକ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । ଏତିକିରେ କଥା ସାରିନାହିଁ । ବର୍ତ୍ତମାନ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସୁଛି । କିଏ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଆକ୍ରମଣ କଲାଣି ତ ଆଉ କିଏ ପ୍ରାର୍ଥୀଙ୍କ ଘର ପୋଡ଼ିଲାଣି । ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ଅଞ୍ଚଳରେ ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ସରପଞ୍ଚଙ୍କ ଘର ପୋଡ଼ି ଦେଇଛନ୍ତି । ଫଳରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି । ଘଟଣା ସମୟରେ ଘରେ କେହି ନଥିବାରୁ ପରିବାର ଲୋକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଦିବାକର ନାୟକଙ୍କ ଦୁଇ ବଖରା ଚାଳ ଛପର ଘରକୁ ଦୁର୍ବୃତ୍ତ ମାନେ ଗତ କାଲି ରାତିରେ ନିଆଁ ଲଗେଇ ପୋଡ଼ି ଦେଇଛନ୍ତି । ସରପଞ୍ଚଙ୍କ ନୂଆ ଘର କାମ ହେଉଥିବାରୁ ନାଗପଡା ଠାକୁରାଣୀଙ୍କ ନିକଟରେ ଥିବା ଘରେ ସରପଞ୍ଚ ତାଙ୍କ ପରିବାର ଲୋକେ ରହିଆସୁଥିଲେ । ଗତ କାଲି ରାତିରେ ଏକ ବିବାହ କାର୍ଯ୍ୟରେ ସରପଞ୍ଚ ଓ ତାଙ୍କ ପରିବାର ଲୋକେ ଯୋଗଦେବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଘର ପୋଡ଼ି ଦେଇଥିବାର ଅଭିଯୋଗ ହୋଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆକ୍ରୋଶ ମୂଳକ ଭାବେ ଜୀବନରୁ ମାରି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଏନେଇ ଆଳି ଥାନାରେ ଏତଲା ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a comment