ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯାଉଥିବା ପୋଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ ଓ ୪ ଗୁରୁତର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡିଶା ଫାଷ୍ଟ(ବ୍ୟୁରୋ): ପୋଲିସ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହେବାସହ ୩୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ପ୍ରତେକ ମୁତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଆହତଙ୍କୁ ଭେଟିବାକୁ ହସ୍ପିଟାଲ ଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଏନ୍‌ଏଚ୍‌-୪୯ରେ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ପୋଲିସ ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ପୋଲିସ ଭ୍ୟାନ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ଆହତ ପୋଲିସ କର୍ମଚାରୀ ମାନଙ୍କୁ ଟିଆର୍‌ଏଲ୍ ହସ୍ପିଟାଲ ଓ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ପୋଲିସ ଭ୍ୟାନ୍‌ରେ ଥିବା ୪୦ ଜଣ ପୋଲିସ କର୍ମଚାରୀମାନେ ଝାରସୁଗୁଡ଼ା ଓଏସ୍‌ଏପି ସେକେଣ୍ଡ ବାଟାଲିଅନ୍‌ର । ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାରସୁଗୁଡ଼ାରୁ ବନହରପାଲି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Leave a comment