ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଶୁଭାରମ୍ଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରଠାରେ ମଙ୍ଗଳବାର ଆୟୋଜିତ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ଏହି ଯୋଜନା ହେଉଛି ବିଶ୍ୱର ସବୁଠୁ ବଡ ଜନକଲ୍ୟାଣକାରୀ ଯୋଜନା । ଶ୍ରମଯୋଗୀ ଯୋଜନାରେ ଅଣସଂଗଠିତ ଶ୍ରମିକମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଅହମ୍ମଦଠାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ କେବଳ ପେନସନ ଦେବାର ବ୍ୟବସ୍ଥା ଥିବାରୁ ଅବସର ପରେ ସେମାନେ ଲାଭ ପାଉଥିଲେ । ମାତ୍ର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ଯଥା ଚା’ ବିକାଳୀ, କନଷ୍ଟ୍ରକଶନ କାମ କରୁଥିବା ଶ୍ରମିକ ଆଦିଙ୍କୁ କୌଣସି ସୁବିଧା ଦିଆଯାଉ ନଥିଲା । ଏହି ଯୋଜନା ଦ୍ୱାରା ସେମାନେ ଉପକୃତ ହେବେ । ଓଡିଶାର ୨କୋଟି ଲୋକ ଏହି ଯୋଜନାର ସୁଫଳ ପାଇବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।