ବିଜେପିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

0

ଭାରତୀୟ ଜନତା ପାର୍ଟି ଗୁରୁବାର ୪୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ କାର୍ଯ୍ୟାଳୟରେ ପାତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ସହିତ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ।

ମୋଦି କହିଛନ୍ତି, ‘ବିଜେପି ପାଇଁ ଦେଶ ହିଁ ସର୍ବଦା ସର୍ବୋପରୀ । ଭାରତୀୟ ଜନତା ପାର୍ଟି ଦେଶରୁ ଦୁର୍ନୀତି, ଭ୍ରଷ୍ଟାଚାର ଓ ଆଇନ ଶୃଙ୍ଖଳା ଚ୍ୟାଲେଞ୍ଜ ହଟାଇବାକୁ ପଣ କରିଛି’।

ବିଜେପିକୁ ପ୍ରଭୁ ହନୁମାନଙ୍କ ସହ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ‘ବିଜେପି ସର୍ବଦା ହନୁମାନଙ୍କ ଠାରୁ ପ୍ରେରଣା ପାଇଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବିଶୃଙ୍ଖଳିତ ଆଇନ ପରିସ୍ଥିତି ବିରୋଧରେ ଲଢିବାକୁ ବଳ ଗୋଟାଇଛି । ପ୍ରଭୁ ହନୁମାନ ଦୃଢ ପଣ କରିଥିଲେ ଯେ ସେ ସବୁକିଛି କରିପାରିବେ । ଯାହା କି ତାଙ୍କୁୁ ସଫଳତା ଦେଇଥିଲା । ହନୁମାନ ଦୁଷ୍ଟଙ୍କୁ ନାଶ କରୁଥିଲେ ଆଉ ବିଜେପି ଭ୍ରଷ୍ଟାଚାରକୁ ଶେଷ କରୁଛି । ବଡ ସ୍ବପ୍ନ ଦେଖିବା ଆଉ ତାକୁ ହାସଲ କରିବାକୁ ପ୍ରୟାସ କରିବାକୁ ଦଳ ସବୁବେଳେ ଚାହେଁ’।

ମୋଦି କହିଛନ୍ତି, ‘କଂଗ୍ରେସ ଦଳ କେବେ ମହିଳାଙ୍କ ବିଷୟରେ ଚିନ୍ତା କରେନ୍ତି କିନ୍ତୁ ଭାରତୀୟ ଜନତା ପାର୍ଟି ମହିଳାଙ୍କ କଥା ଚିନ୍ତା କରିଥାଏ । ସେମାନଙ୍କୁ ପ୍ରାଥମିକତା ଦେଇଥାଏ । ୨୦୧୪ରେ ଦେଶବାସୀ ଯାହା କରିଥିଲେ ତାହା କେବଳ କ୍ଷମତା ପରିବର୍ତ୍ତନ ନଥିଲା ବରଂ ଦେଶର ପୁନର୍ଜାଗରଣ ଓ ନୂତନ ଯାତ୍ରାର ଶଙ୍ଖ ନାଦ ଥିଲା । ୧୯୪୭ରେ ଅବଶ୍ୟ ଇଂରେଜ ମାନେ ଚାଲିଯାଇଥିଲେ କିନ୍ତୁ ଜନତାଙ୍କୁ ଗୋଲାମ କରି ରଖିବାରେ କିଛି ଲୋକ ଲାଗିଥିଲେ’।

ପିଏମ୍‌ ଆହୁରି ମଧ୍ୟ କହିଛନ୍ତି, ‘ବାଦଶାହ ଭଳି ମାନସିକତା ରଖୁଥିବା ଲୋକ ସମାଜର ସ୍ବରକୁ ଦଳିମକଚି ଦେବାକୁ ଚାହାଁନ୍ତି । ଡିଜିଟାଲ ଇଣ୍ଡିଆ କଥା ଆମେ ଯେତେବେଳେ ଭାବୁଥିଲୁ ଏହିଭଳି କିଛି ଲୋକ ତାତ୍ସଲ୍ୟ କରୁଥିଲେ । ସେମାନେ ଭାବୁଥିଲେ ଦେଶର ଅନେକ ଜନତା ଅଶିକ୍ଷିତ । ସେମାନେ କିଭଳି ଭାବେ ଡିଜିଟାଲ ନେଣଦେଣ କରିବେ? କିନ୍ତୁ ସେମାନେ ଭୁଲ ପ୍ରମାଣିତ ହେଲେ । ଏମାନେ କେବେଳ କଳ୍ପନା ମଧ୍ୟ କରିନଥିଲେ ଯେ, ଧାରା ୩୭୦ ହଟିବ ଓ ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରିବ’।

Leave a comment