ପିଏମ୍ କିଷାନ୍ ନିଧି ଯୋଜନାର ଶୁଭାରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ ହୋଇଛି । ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମୋଦି ଏଠାରେ ଯୋଗଦେଇ ମୋଦି କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦ୍ୱାରା କଥିତ ‘ଜୟ ଜବାନ, ଜୟ କିଷାନ’ ଉକ୍ତିଟିକୁ ଯଥାର୍ଥତା ଦେବା ପାଇଁ ଆଜିର ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଦ୍ୱାରା ଦେଶର କୃଷକମାନେ ଉପକୃତ ହେବେ ବୋଲି ମୋଦି କହିଥିଲେ । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୪ ରାଜ୍ୟର ୧ କୋଟି କୃଷକଙ୍କୁ ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି ଯୋଜନାରେ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ୬ ହଜାର ଟଙ୍କା ଚାଷୀଙ୍କୁ ସହାୟତା ଦିଆଯିବ । ୨ହେକ୍ଟର ଲେଖାଏ କୃଷି ଜମି ଥିବା ଚାଷୀ ଏହି ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ, ଚଳିତବର୍ଷ ଅନ୍ତରୀଣ ବଜେଟରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନା ବିଷୟରେ ଘୋଷଣା କରିଥିଲେ । ଏହାଦ୍ୱାରା ସାରା ଦେଶର ପ୍ରାୟ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।