ବିଶ୍ୱ ପରିବେଶ ଦିବସ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଏକାଧିକ ଇଥାନଲ ଆଧାରିତ ପ୍ରକଳ୍ପର ଶୁଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ପରିବେଶ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର, କେନ୍ଦ୍ର ପେଟ୍ରୋଲିୟମ ପରିବହନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀର ଭାରତର ପ୍ରାଥମିକତା ଭାବରେ ଇଥାନଲକୁ ବର୍ଣ୍ଣନା କରିଥିଲେ। ଏକ ଉତ୍ତମ ପରିବେଶ ପାଇଁ ଜୈବ ଇନ୍ଧନକୁ ପ୍ରୋତ୍ସାହିତ କରିବା ଚଳିତ ବର୍ଷର ମଧ୍ୟ ମୁଖ୍ୟ ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସମ୍ବୋଧନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ ଇଥାନଲ ବିଷୟରେ କଥା ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୨୦୨୦-୨୫ ମଧ୍ୟରେ ଭାରତରେ ଇଥାନଲ ମିଶ୍ରଣ ପାଇଁ ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ ସମ୍ପର୍କରେ ବିଶେଷଜ୍ଞ କମିଟିର ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁନେର ତିନୋଟି ସ୍ଥାନରେ ଇ୧୦୦ ବିତରଣ କେନ୍ଦ୍ରର ଏକ ପାଇଲଟ୍ ପ୍ରୋଜେକ୍ଟର ଶୁଭାରମ୍ଭ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।
ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୭-୮ ବର୍ଷ ପୂର୍ବେ ଭାରତରେ ଇଥାନଲ ଉପରେ ଆଲୋଚନା ସମ୍ଭବ ନଥିଲା, କିନ୍ତୁ ବର୍ତ୍ତମାନ ଇଥାନଲ ଭାରତର ଏକବିଂଶ ଶତାବ୍ଦୀର ପ୍ରାଥମିକତାର ଏକ ଅଂଶ ହୋଇଛି। ଏହା ପରିବେଶ ତଥା କୃଷକଙ୍କ ଜୀବନକୁ ମଧ୍ୟ ସାହାଯ୍ୟ କରୁଛି। ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ସମ୍ପୂର୍ଣ୍ଣ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ୨୦୧୪ ପର୍ଯ୍ୟନ୍ତ, ହାରାହାରି ମାତ୍ର ୧-୧.୫ ପ୍ରତିଶତ ଇଥାନଲ ମିଶ୍ରିତ ହେଉଥିଲା ବେଳେ ଆଜି ଏହା ପ୍ରାୟ ୮.୫ ପ୍ରତିଶତରେ ପହଞ୍ଚିଛି।