ଏଭଳି ବିପଦ ସମୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କ ସହ ଛିଡା ହୋଇଛି – ମୋଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । କରୋନାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ଆଲୋଚନା କରିଥିଲେ । ଏହା ସହ ସମସ୍ତ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଏଭଳି ବିପଦ ସମୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କ ସହ ଛିଡା ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଲା ବନ୍ଦକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । ତାଲାକୁ କଡାକଡି ଭାବେ ପାଳନ କରିବାକୁ ସେ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉ, ଯାହାଫଳରେ କେହି ବି ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।
ଶ୍ରମିକଙ୍କ ପଳାୟନ ଉପରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଆମକୁ ପ୍ରତ୍ୟେକ ସମ୍ଭାବ୍ୟ ସ୍ଥାନାନ୍ତରଣ ବନ୍ଦ କରିବାକୁ ପଡିବ ।
ଏଥିପାଇଁ ପ୍ରତ୍ୟେକ ରାଜ୍ୟ ତାଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରିବା ଉଚିତ୍। ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ, ଆଶ୍ରୟ ଗୃହ ସହିତ ସମସ୍ତ ବ୍ୟବସ୍ଥା କରାଯିବା ଉଚିତ୍ | ଏଥିସହ ଶ୍ରମିକମାନେ ରାସ୍ତାରେ ନ ଯିବାକୁ ମଧ୍ୟ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ।