ଅକ୍ଟୋବର ୨ ରୁ ପ୍ଲାଷ୍ଟିକ ବ୍ୟବହାର କଲେ ଦେବାକୁ ପଡିପାରେ ଜୋରିମାନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୮ ଅକ୍ଟୋବର ୨ ତାରିଖରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯାଇଥିଲେ ମଧ୍ୟ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇନଥିଲା । ମାତ୍ର ଏଥର ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ । ଏଥର ନିୟମ ଭଙ୍ଗ କଲେ ହୋଇପାରେ ଜୋରିମାନା ।
ସୂଚନା ଅନୁଯାୟୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମଗ୍ର ରାଜ୍ୟରେ ଆସନ୍ତା ଗାନ୍ଧି ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବ୍ୟାନ କରାଯିବା ନେଇ ସୂଚନା ଜାରି କରିଛନ୍ତି । ଶ୍ରୀ ଆରୁଖ କହିଛନ୍ତି, ସିଙ୍ଗଲ ୟୁଜ ବା ଗୋଟିଏ ଥର ବ୍ୟବହାର କରି ଫୋପଡା ଯାଉଥିବା ପ୍ଲାଷ୍ଟିକ ବୋତଲ ଓ ବ୍ୟାଗ ଉପରେ ରୋକ ଲଗାଯିବ ।
ପୂର୍ବବର୍ଷ ଗାନ୍ଧୀ ଜୟନ୍ତୀରୁ ୫ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଧରା ପଡିଲେ ଜୋରିମାନା ଆଦାୟ କରାଯାଉଥିଲା । ମାତ୍ର କିଛିଦିନ ପରେ ସବୁ ଭୁଲିଗଲେ । ଜନତା ମଧ୍ୟ ବ୍ୟବହାର କରିଚାଲିଲେ ପ୍ଲାଷ୍ଟିକ । ମାତ୍ର ଏଥର ପଞ୍ଚମ ପାଳିରେ ସରକାର ସବୁ ବିଭାଗରେ କଡା ଅଭିମୁଖେ ଗ୍ରହଣ କରୁଥିବା ବେଳେ ପ୍ଲାଷ୍ଟିକ ବ୍ୟାନକୁ ମଧ୍ୟ ଖୁବ ଗମ୍ଭୀରତା ସହ ନିଆଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ଲାଷ୍ଟିକ ବ୍ୟାନ କରାଯିବା ପରେ ଏହାକୁ ଅବମାନନା କଲେ ଟ୍ରାଫିକ ଜୋରିମାନା ପରି ଦେବାକୁ ପଡିପାରେ ବଡ ଧରଣର ଜୋରିମାନା ।