ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କୁ ପ୍ଳାଜମା ଦାନ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ପ୍ଳାଜମ୍ ଥେରାପି । ମହାମାରୀ କରୋନା ଦ୍ୱାରା ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା ଦିଗରେ ପ୍ଳାଜମା ଥେରାପି ବେଶ୍ ଫଳପ୍ରଦ ହେଉଥିବା ବେଳେ ଆଜିଠାରୁ ରାଜ୍ୟରେ ପ୍ଳାଜମା ଥେରାପି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ପ୍ଳାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁତର କରୋନା ସଂକ୍ରମିତଙ୍କୁ ଆରୋଗ୍ୟ କରିବା ଆଜି ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ଆରୋଗ୍ୟ ବ୍ୟକ୍ତିଙ୍କର ପ୍ଳାଜ୍ମା ଦ୍ୱାରା ଗୁରୁତର ରୋଗୀଙ୍କ ଚିକିତ୍ସା କରାଗଲେ ସେମାନେ ଦ୍ରୁତ ଆରୋଗ୍ୟଲାଭ କରୁଥିବାରୁ ଏହି ଚିକିତ୍ସା ପଦ୍ଧତିକୁ ଭାରତରେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ମଧ୍ୟ ସୁପାରିସ କରିଛନ୍ତି । ଖୁସିର କଥା ଯେ, ଆମ ରାଜ୍ୟରେ ଇତି ମଧ୍ୟରେ ୯୦୦୦ରୁ ଅଧିକ ବ୍ୟକ୍ତି କରୋନାରୁ ମୁକ୍ତ ହୋଇଛନ୍ତି । ଜଣେ ଆରୋଗ୍ୟ ବ୍ୟକ୍ତି ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଳାଜମା ଦାନ କରି ଦୁଇଜଣ କରୋନା ରୋଗୀଙ୍କୁ ନୂଆ ଜୀବନ ଦେଇପାରିବ । ନିଜେ ପ୍ଳାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବାକୁ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ବିନମ୍ର ଅନୁରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଳାଜମା ଥେରାପି ସହାୟତାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରାଯିବ । ଏବଂ କଟକ ଏସ୍ସିବି ମେଡିକାଲ କଲେଜ ପ୍ଳାଜମା ଥେରାପିର ନୋଡାଲ ସେଣ୍ଟରଭାବେ କାର୍ଯ୍ୟ କରିବ ।