ବିଜେଡିର ଅଭିଯୋଗ, ‘ଆହାର’କୁ ବନ୍ଦ କରିବାକୁ ହେଉଛି ଚକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ବିଜେଡ଼ି । ‘ଆହାର’ ବନ୍ଦ କରିବାକୁ ଚାଲିଛି ହୀନ ଚକ୍ରାନ୍ତ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ‘୨୦୧୫ ଉତ୍କଳ ଦିବସରୁ ସହରାଞ୍ଚଳର ଅଭାବୀ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ବନ୍ଦ କରିବାକୁ ସାଘାଂତିକ ଷଡଯନ୍ତ୍ର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ତିନୋଟି ଯାକ କେନ୍ଦ୍ରୀୟ ଉଦ୍ୟୋଗ ଏମସିଏଲ୍, ନାଲକୋ ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଆହାର ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପ୍ରତିଶୃତିରୁ ଓହରି ଯାଇଛନ୍ତି ‘।

ଆହୁରି ମଧ୍ୟ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ‘ଆମ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ହୀନ ଚକ୍ରାନ୍ତ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ତା ଯୋଗୁଁ କାହାରି ବିନା ସହଯୋଗରେ ପ୍ରତିଦିନ ୧ଲକ୍ଷ ଲୋକଙ୍କୁ ସହରରେ ‘ଆହାର’ ମିଳୁଛି । ଏପର୍ଯ୍ୟନ୍ତ ସହରାଞ୍ଚଳର ଅଭାବୀ ମହିଳା, ଶ୍ରମିକ, ଦିନ ମଜୁରିଆ ଏବଂ ଅଭାବୀ ଲୋକଙ୍କୁ ୮ କୋଟି ୨୦ ଲକ୍ଷରୁ ଅଧିକ ମିଲ୍ ଯୋଗାଇ ଦିଆଗଲାଣି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପରାଜୟର ଭୟ ଯୋଗୁଁ ଏଭଳି ଓଡ଼ିଶାବାସୀଙ୍କ ‘ଆହାର’ ଉପରେ ପ୍ରହାର ଦେଉଛନ୍ତି’ । ତେଣୁ ଓଡିଶାବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି କହିଛି ବିଜେଡି ।

ସୂଚନା ଅନୁଯାୟୀ, ୨୦୧୫ ଉତ୍କଳ ଦିବସରୁ ସହରାଞ୍ଚଳର ଅଭାବୀ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନା ପାଇଁ ତିନୋଟି କେନ୍ଦ୍ରୀୟ ଉଦ୍ୟୋଗ ଏମସିଏଲ୍, ନାଲକୋ ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଆର୍ଥିକ ସହାୟତା ଯୋଗାଇବାକୁ ଚୁକ୍ତିବଦ୍ଧ ହୋଇଥିଲେ । ମାତ୍ର ବର୍ତ୍ତମାନ ୩ଟି ଯାକ କେନ୍ଦ୍ରୀୟ ଉଦ୍ୟୋଗ ନିଜର ଅକ୍ଷମତା ପ୍ରକାଶ କରି ଏହି କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି ।

Leave a comment