ମଣିଷ ଶରୀରରେ ଲାଗିଲା ଘୁଷୁରୀ ହୃଦୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମଥର ମାନବ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ । ଜେନେଟିକ ଅପରେସନ ମାଧ୍ୟମରେ ଜଣେ ୫୭ ବର୍ଷୀୟ ପୁରୁଷ ଶରୀରରେ ଲାଗିଛି ଘୁଷୁରୀ ହାର୍ଟ । ପ୍ରଥମ ଥର ପାଇଁ ଏହି ଐତିହାସିକ ଟ୍ରାନ୍ସପ୍ଲାଣ୍ଟ କରାଯିବା ସହ ଅପରେସନ ସଫଳ ହୋଇଛି । ଶୁକ୍ରବାର ଅସ୍ତ୍ରୋପ୍ରଚାର କରାଯାଇଥିବାବେଳେ ଏହାର ସବିଶେଷ ତଥ୍ୟ ସୋମବାର ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପ୍ରଦାନ କରିଛି । ମିଳିଥିବା ସୂଚନା ମୁତବାକ ଡେବିଟ ବେନେଟ ନାମକ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥିଲେ । ପରେ ତାଙ୍କର ଚିକିତ୍ସା ପଦ୍ଧତି ଆରମ୍ଭ କରାଯାଇଥିଲା ।

ଅପରେସନ ପୂର୍ବରୁ ଡେବିଟ କହିଥିଲେ, ମୋ ପାଖରେ ଦୁଇଟି ବିକଳ୍ପ ରହିଛି । ଆପଣ ମୋତେ ମାରିଦିଅନ୍ତୁ ନଚେତ, ମୋର ହାର୍ଟ ପ୍ରତିରୋପଣ କରନ୍ତୁ । ଅନ୍ଧାରରେ ବାଡି ବୁଲଇବା ଭଳି ମୁଁ ବଞ୍ଚୁଛି । କେଉଁ ମୂହୂର୍ତ୍ତରେ ମଧ୍ୟ ମୋର ମୃତ୍ୟୁ ଘଟିପାରେ ବୋଲି କହିଥିଲେ ଅପରେସନ ହୋଇଥିବା ଡେବିଟ ବେନେଟ୍ । ପୂର୍ବରୁ ହାର୍ଟ ବାଇପାସ ମେସିନ ସାହାରା ନେଇ ଡେବିଟ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ଏଭଳି ଏକ ମାମଲା ମେଡିକାଲରେ ପହଁଚିବା ପରେ ଅମରଜେନ୍ସି ଅସ୍ତ୍ରୋପ୍ରଚାର ନେଇ ଫୁଡ୍ ଆଣ୍ଟ ଡ୍ରଗ୍ସ ଆଡିମିନଷ୍ଟ୍ରେସନର ଅନୁମତି ମଗାଯାଇଥିଲା । ପରେ ଆରମ୍ଭ ହୋଇଥିଲା ଅପରେସନ ।

ନୂଆବର୍ଷରେ ହୋଇଥିବା ଏହି ଐତିହାସିକ ସର୍ଜରୀ ସଫଳତାର ସହ ଶେଷ ହୋଇଛି ବୋଲି ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପକ୍ଷରୁ କୁହାଯାଇଛି । ମଣିଷ ଦେହରେ ପଶୁଙ୍କ ଅଙ୍ଗ ପ୍ରତିରୋପଣ କରିବାରେ ଏହା ଏକ ବିରାଟ ମାଇଲଖୁଣ୍ଟ ସୃଷ୍ଟି କରିଛି । ଘୁଷୁରୀ ହୃଦୟ ପ୍ରତିରୋପଣ କରାଯାଇଥିବା ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏବେ ତାଙ୍କୁ ହସ୍ପିଟାଲରେ ନିରୀକ୍ଷଣ ପାଇଁ ରଖାଯାଇଛି ।

Leave a comment