ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ନଯୋଗାଯିବାରୁ, ଲୋକେ ଫେରୁଛନ୍ତି ଘରକୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଳି ଯାଇଛି ବାତ୍ୟା ‘ତିତ୍ଲି’ ର ପ୍ରକୋପ । ପଲାସା ନିକଟରେ ଏହା ସ୍ଥଳଭାଗ ଛୁଇଁ ଥିଲା । ଏବେ ଏହା ପଶ୍ଚିମବଙ୍ଗ ମୁହାଁ । ତେଣୁ ଧୀରେ ଧୀରେ ଦୁର୍ବଳ ହେଉଛି ‘ତିତ୍ଲି’ । ମାତ୍ର ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।
ଗତକାଲି ଉପକୂଳବର୍ତ୍ତୀ କିଛି ଜିଲ୍ଲାର ସମୁଦ୍ରକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ମୋଟ ତିନି ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ପାରାଦୀପରେ ମଧ୍ୟ କିଛି ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି । କିନ୍ତୁ ଏହି ଆଶ୍ରୟସ୍ଥଳୀରେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କୁହାଯାଇଥିଲେ ମଧ୍ୟ ସେପରି କିଛି ବ୍ୟବସ୍ଥା ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି । ସକାଳ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଆସି ପହଞ୍ଚି ନାହାନ୍ତି କି ଲୋକଙ୍କୁ ଗତ ସନ୍ଧ୍ୟାରୁ ଖାଇବାକୁ ଦିଆଯାଇନାହିଁ । ତେଣୁ ବାତ୍ୟାର ପ୍ରଭାବ କମିଯିବାରୁ ଅନେକ ଲୋକ ନିଜ ଘରକୁ ଫେରିଯିବାର ଦେଖିବାକୁ ମିଳିଥିଲା ।
ଏ ସମ୍ୱନ୍ଧରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଗତକାଲି ରାତିରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିଲା, ତେଣୁ ଲୋକଙ୍କୁ କିଛି ସୁବିଧା ଯୋଗାଇ ଦିଆଯାଇ ପାରି ନଥିଲା । ଆଜି ସକାଳୁ ସବୁ ବ୍ୟବସ୍ଥା କରାଯିବ।