ନଭେମ୍ବର ୨ ସୁଦ୍ଧା ଆଇନଜୀବୀ ଆନ୍ଦୋଳନର ସମାଧାନ କର, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦେଶ କଂଗ୍ରେସର ଚେତାବନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଭେମ୍ବର ୨ ସୁଦ୍ଧା ଆଇନଜୀବୀ ଆନ୍ଦୋଳନର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦେଶ କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଛି । ଦୀର୍ଘ ୨ ମାସ ଧରି ରାଜ୍ୟରେ ଓକିଲ ମାନଙ୍କ ଆନ୍ଦୋଳନ ଚାଲି ଥିବାରୁ ଛୋଟ ଛୋଟ କେସ ରେ ଗିରଫ ହୋଇଥିବା ଲୋକମାନେ ଜାମିନ ନପାଇ ଜେଲରେ ସଢ଼ୁଛନ୍ତି । କେତେକ ଜେଲରେ କଏଦୀଙ୍କ ସଂଖ୍ୟା କ୍ଷମତା ଠାରୁ ଢେର ବେଶି ହୋଇଗଲାଣି । ଯାହାକି ଜେଲର ସୁରକ୍ଷା ଉପରେ ସନ୍ଦେହ ସୃଷ୍ଟି କଲାଣି ।
ସୂଚନା ଅନୁଯାୟୀ, ଓଡିଶାରେ ଓକିଲମାନଙ୍କର ଆନ୍ଦୋଳନ ଦୁଇ ମାସ ଧରି ଚାଲିବା ଫଳରେ ଓଡିଶାବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବାରୁ ଗତକାଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ବିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟର ବିଚାର ବିଭାଗର ଏହି ଅବସ୍ଥା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଯିଏକି ଘରୋଇ ବିଭାଗର ଦାୟିତ୍ୱରେ ଅଛନ୍ତି ସିଏ
ମୁଖ୍ୟତଃ ଦାୟୀ ବୋଲି କହିବା ସହ ଗୃହ ବିଭାଗ ଏବଂ ଆଇନ୍ ବିଭାଗ ଅତ୍ୟନ୍ତ ଦାୟିତ୍ୱହୀନ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ଘୋର ନିନ୍ଦା କରିଥିଲେ ।
ସେହିପରି କଂଗ୍ରେସ ବିଧାୟକ ତଥା କଂଗ୍ରେସ ବରିଷ୍ଠ ମୁଖପାତ୍ର ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟର ହାଇକୋର୍ଟ ଭିତରେ ଏକ ନିନ୍ଦନୀୟ ଘଟଣା ଘଟିଛି । ସମସ୍ତ ପୋଲିସ ବାହିନୀ ହାଇକୋର୍ଟ ଭିତରେ ପ୍ରବେଶ କରିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟର ଓକିଲ ସମାଜକୁ ରାଜନୈତିକ ବିଚ୍ଛେଦ ଭିତରକୁ ଶାସକ ଦଳ ଟାଣିବା ଅତ୍ୟନ୍ତ ନିନ୍ଦନୀୟ । ବିଜୁ ଜନତା ଦଳର ଲିଗାଲ୍ ସେଲ୍ ଅତ୍ୟନ୍ତ ଅପରିପକ୍ୱ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ସେମାନେ ବିଚାର ବ୍ୟବସ୍ଥାର ଏହି ଅଚଳାବସ୍ଥାକୁ ସୁଧାର ଆଣିବାକୁ ପ୍ରଚେଷ୍ଟା କରିପାରି ଥାଆନ୍ତେ । ମାତ୍ର ତାହା ନକରି ସେମାନେ ଆନ୍ଦୋଳନକୁ ଭିନ୍ନ ମୋଡ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।