ପାଟକୁରା ନିର୍ବାଚନକୁ ଆଉ ମାତ୍ର କିଛିଦିନ, ଭାଙ୍ଗିଲା କଂଗ୍ରେସର ନିଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ଆଉ ମାତ୍ର ୧୦ ଦିନ ବାକିଅଛି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏଠାରେ ରାଜନୈତିକ ପାଣିପାଗ ଉଷ୍ମ ରହିଥିବା ବେଳେ ଏବେ ଆହୁରି ସରଗରମ ହୋଇଛି ରାଜନୀତି । ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଛି । ନିର୍ବାଚନ ସ୍ଥଗିତ ରହିବା ପରେ କଂଗ୍ରେସ ନିଷ୍କ୍ରୀୟ ଥିବା ଦେଖିବାକୁ ମିଳୁଥିଲା । ହେଲେ ଏବେ ବିଜେଡି ଓ ବିଜେପି ପ୍ରଚାର କାର୍ଯ୍ୟ ଜୋରଦାର କରିଥିବା ବେଳେ କଂଗ୍ରେସ ବି ଏଥିରେ ସାମିଲ ହୋଇଛି । ଆସନ୍ତା ବୁଧବାରଠାରୁ କଂଗ୍ରେସର ଷ୍ଟାର ପ୍ରଚାରକ ପାଟକୁରାରେ ପହଞ୍ଚି ପ୍ରଚାର କରିବେ ବୋଲି ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ପ୍ରଚାରକୁ ଜୋରଦାର କରିବା ପାଇଁ ବିଜେଡିର ମାଳ ମାଳ ନେତା ପାଟକୁରାରେ ଡେରା ପକାଇଛନ୍ତି । ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ରାଜକିଶୋର ଦାସ, ମୁକ୍ତିକାନ୍ତ ମଣ୍ଡଳ, ଦେବୀରଞ୍ଜନ ତ୍ରିପାଠୀ, ଉମାଶଙ୍କର ସାମନ୍ତରାୟ, ଭଦ୍ରକ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ବରିଷ୍ଠ ନେତା ଜନ୍ମେଜୟ ଲେଙ୍କା ପ୍ରମୁଖ ବିଭିନ୍ନ ପଞ୍ଚାୟତରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜିଲା ବିଜେଡି ସାଧାରଣ ସମ୍ପାଦକ ଭକ୍ତିମୟୀ କର ଡେରାବିଶ ବ୍ଲକ ଅଧୀନ ଗୁଆଳସିଂ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ବିଜେଡି ପ୍ରାର୍ଥୀ ସାବିତ୍ରୀଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି । ଏହି ପ୍ରଚାର ଅଭିଯାନରେ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ, ଯୁବ ବିଜେଡି ସଭାପତି ଗୋଲକ ଚନ୍ଦ୍ର ସାହୁଙ୍କ ସମେତ ବହୁ ମହିଳା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ନିର୍ବାଚନ ତାରିଖ ଘୋଷଣା ପରେ ବିଜେପିର ଜଣେ ହେଲେ ବରିଷ୍ଠ ନେତା କି ଷ୍ଟାର ପ୍ରଚାରକଙ୍କର ପାଟକୁରାରେ ପାଦ ପଡ଼ିନି । ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ଏକା ଏକା ପ୍ରଚାର କରୁଥିବା ଦେଖାଯାଉଛି । ସୋମବାର ବିଜୟ ଡେରାବିଶ ବ୍ଲକ ପଲେଇ ପଞ୍ଚାୟତର ପ୍ରତି ଘରେ ଘରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ଏହି ପ୍ରଚାରରେ ଦଳର ବରିଷ୍ଠ ନେତା ବଟକୃଷ୍ଣ ସାମଲ, ମନୋରଞ୍ଜନ ଉପାଧ୍ୟାୟ, ତ୍ରିଲୋଚନ ରାଉତ, ସୁରେନ୍ଦ୍ର ମଲ୍ଲିକ, ଗଣେଶ ଚନ୍ଦ୍ର ସାମଲ, ଦାନପୁର ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା ପ୍ରମୁଖ ସାମିଲ ଥିଲେ । ତେବେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ବିଭିନ୍ନ ପଞ୍ଚାୟତରେ କର୍ମୀ ସମାବେଶ କରି ଦଳୀୟ ରଣନୀତି ସଂପର୍କରେ ଆଲୋଚନା କରୁଥିବା ଦେଖାଯାଉଛି ।