ପାଟକୁରା ବିଧାନସଭା ନିର୍ବାଚନ: ପ୍ରାର୍ଥୀ, ସମର୍ଥକଙ୍କ ସମେତ ଭୋଟର ଉତ୍ସାହିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ସମର୍ଥକଙ୍କ ସମେତ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ସାଧାରଣ ନିର୍ବାଚନରେ ସଭିଏଁ ମତଦାନ କରିବାର ସୁଯୋଗ ପାଇଥିବା ବେଳେ ପାଟକୁରା ନିର୍ବାଚନମଣ୍ଡଳୀବାସୀ ଏଥିରୁ ବାଦ ପଡ଼ିଥିଲେ । ଅନ୍ୟପଟେ ପାଟକୁରା ଅଞ୍ଚଳର ଅସୁବିଧା ସମ୍ପର୍କରେ ବିଧାନସଭାରେ ଉଠାଇବା କୌଣସି ଲୋକପ୍ରତିନିଧି ନ ଥିବା ବେଳେ ନିର୍ବାଚନ ଏକାଧିକ ବାର ସ୍ଥଗିତ ରହିବା ଯୋଗୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ନର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭୋଟର ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ତାରିଖ ବହୁ ବିଳମ୍ବରେ ଘୋଷଣା କରାଯାଇଛି । ହେଲେ ବିଳମ୍ବର ହେଉ ପଛେ ତାରିଖ ଘୋଷଣା ପାଇବା ପରେ ନିର୍ବାଚନମଣ୍ଡଳୀବାସୀ ଭୋଟଦାନ କରିବାର ଅଧିକାର ପାଇବେ ବୋଲି କେତେଜଣ ଭୋଟର ମତବ୍ୟକ୍ତ କରିଛନ୍ତି ।
ଅନ୍ୟପଟେ ପାଟକୁରାରେ ବିଜୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ତିନି ପ୍ରମୁଖ ଦଳର ନେତା । ବିଜେଡି ବିଧାୟକମାନଙ୍କୁ ପାଟକୁରାର ବିଭିନ୍ନ ପଞ୍ଚାୟତର ଦାୟିତ୍ବ ଦେଇଥିବା ବେଳେ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ପାଟକୁରା ଗସ୍ତ କରିବେ ବୋଲି ଜଣାପଡିଛି । ତେବେ ପାଟକୁରା ନିର୍ବାଚନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପାଟକୁରା ନିର୍ବାଚନରେ ବିଜେପି ଜିତିବ ବୋଲୀ ଆମର ପୂରା ଆତ୍ମବିଶ୍ୱାସ ରହିଛି । ସେଠି ବିଜୟ ମହାପାତ୍ରଙ୍କ ପ୍ରତି ଗୋଟିଏ ଅନୁକମ୍ପା ରହିଛି । ବହୁ ଦିନ ହେଲା ବିଜୟ ଜିତି ପାରିନାହାନ୍ତି । କିନ୍ତୁ ଏଥର ଲୋକସଭାରେ ଜନସାଧାରଣ ଯେଉଁଭଳି ଭାବେ ବିଜେପିକୁ ସମର୍ଥନ ଦେଇଛନ୍ତି, ସେଥିରୁ ବିଜୟ ମହାପାତ୍ର ପାଟକୁରାରେ ଜିତିବେ ବୋଲି ବିଶ୍ବାସ ଥିବା ଧର୍ମେନ୍ଦ୍ର କହିଛନ୍ତି ।