ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବଢିଲା ବିଜେଡିର ଗୋଷ୍ଠୀ କନ୍ଦଳ, ପାରଳାଖେମୁଣ୍ଡି ଓ କନ୍ଧମାଳରେ ପୋଡାହେଲା ଦଳୀୟ ପତାକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ତେବେ କେତେକ ସ୍ଥାନରେ ପ୍ରାର୍ଥୀଙ୍କୁ ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପାରଳାଖେମୁଣ୍ଡି ବିଧାନସଭା ଆସନରେ ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଟିକେଟ ନ ଦେଇ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ଦଳୀୟ ନେତା ତଥା କେ.ନାରାୟଣଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । କେ.ନାରାୟଣଙ୍କ ସମର୍ଥକମାନେ ଦଳୀୟ ପୋଷ୍ଟର, ବ୍ୟାନର ଜଳାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବତନ ବିଧାୟକ କେ.ନାରାୟଣ କାଲି ପାରଳାଖେମୁଣ୍ଡିରେ ନ ଥିବାରୁ ସେ ପହଞ୍ଚିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ଅନ୍ୟପଟେ କନ୍ଧମାଳର ଲୋକସଭା ପ୍ରାର୍ଥୀଙ୍କୁ ବିରୋଧ କରିଛି କନ୍ଧମାଳ ଜିଲ୍ଲା ବିଜେଡି। କନ୍ଧମାଳର ଲୋକସଭା ଆସନ ପାଇଁ ବିଜେଡି କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଛି । କିନ୍ତୁ ଜିଲ୍ଲା ବାହାର ଲୋକଙ୍କୁ ଟିକେଟ ନ ଦେଇ ଜିଲ୍ଲାର ଜଣଙ୍କୁ ଟିକେଟ ଦେବାକୁ ଜିଲ୍ଲା ବିଜେଡି ପକ୍ଷରୁ ଦାବି ହୋଇଛି । ଯଦି ଏଠାକାର ପ୍ରାର୍ଥୀଙ୍କୁ ବଦଳା ନ ଯାଏ ଜିଲ୍ଲା ବ୍ୟାପି ଆନ୍ଦୋଳନ ହେବ ବୋଲି ଦଳୀୟ କର୍ମୀ ଚେତାବନୀ ଦେଇଛନ୍ତି ।

Leave a comment