ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ ପାର୍ଲାମେଣ୍ଟ : ସୁପ୍ରିମକୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ସାଧାରଣ ନିର୍ବାଚନ ବେଳେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୩୪ ପ୍ରତିଶତଙ୍କ ନାଁରେ ଅପରାଧିକ ମାମଲା ରହିଥିବାରୁ ଏହାକୁ ନେଇ ଏନଜିଓ ପବ୍ଲିକ ଇଣ୍ଟରେଷ୍ଟ ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଜି ସୁପ୍ରିମକୋର୍ଟରେ ୫ ଜଣିଆ ଖଣ୍ଡପୀଠ ଦାଗୀ ନେତାଙ୍କ ନିର୍ବାଚନ ଲଢ଼ିବାକୁ ନେଇ ଶୁଣାଣି କରି କହିଛନ୍ତି କି ଯେଉଁ ନେତାଙ୍କ ନାଁରେ କୌଣସି କେସ ଅଛି ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ନା ନାହିଁ ତାହା ପାର୍ଲାମେଣ୍ଟ ସ୍ଥିର କରିବା । ଏହି ୫ ଜଣିଆ ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ” ଦୁର୍ନୀତି ଏବେ ଜାତୀୟ ଆର୍ଥିକ ଆତଙ୍କବାଦ ପାଲଟିଛି । କୋର୍ଟରେ ପଡ଼ି ରହିଥିବା ସମସ୍ତ ମାମଲା ସମ୍ପର୍କରେ ପ୍ରାର୍ଥୀ ତଥ୍ୟ ଦେବାକୁ ବାଧ୍ୟ ।”
ଏହାସହ ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ । ଏହାପରେ କମିଶନଙ୍କ ପକ୍ଷରୁ ଏହାକୁ ୱେବସାଇଟରେ ଦର୍ଶାଯିବ । ଏଥିସହ ଅପରାଧିକ ରେକର୍ଡ ସମ୍ପର୍କରେ ମଧ୍ୟ ପ୍ରାର୍ଥୀମାନେ ଦଳକୁ ଅବଗତ କରାଇବେ । ଦଳ ପକ୍ଷରୁ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଦଳୀୟ ୱେବସାଇଟ୍ ସହ ବିଭିନ୍ନ ଗଣମାଧ୍ୟମରେ ତିନିଥର ସୂଚନା ଦିଆଯିବ ।