ସଂସଦରେ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗ: ସକାରାତ୍ମକ ଉତ୍ତର ରଖିଲେ ସାଂସଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସଭାରେ ରାଜ୍ୟର ଅନେକ ଦାବି ଉପସ୍ଥାପନା କଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଆରମ୍ଭ କରି ସୁନ୍ଦରଗଡରେ ଏମସ କରିବା ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି। ଏହି ଦାବି ଗୁଡିକ ଅନେକ ଦିନରୁ ହୋଇ ଆସୁଥିବାବେଳେ କେନ୍ଦ୍ର ସରକାର ଏହାକୁ ପକାଇ ରଖିଥିବା କହିଛନ୍ତି ସସ୍ମିତ।
ଡ଼. ସସ୍ମିତ କହିଛନ୍ତି, ‘ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ କାମ ହାତକୁ ନେବାର ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନେକ ବିଷୟ କେନ୍ଦ୍ରକୁ ଦେଇଥିଲେ ମଧ୍ୟ ଏହା ଅନୁମୋଦନ ପାଇଁ ପଡିରହିଛି।’
ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ହେଲେ ଏହା ପଡ଼ି ରହିଛି। ଏଥିସହ ସମ୍ବଲପୁରୀ, କୋଶଳୀ ଓ ହୋ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଆସିବାର ଆବଶ୍ୟକତା ରହିଛି ଓ ୨୨ଟି ନୂଆ ଏମସ ହସ୍ପିଟାଲ ଆସିଥିବା ବେଳେ ଓଡିଶାର ସୁନ୍ଦରଗଡ଼ରେ ଆବଶ୍ୟକତା ଥିବା ଦ୍ୱିତୀୟ ଏମସ ହସ୍ପିଟାଲ ମଧ୍ୟ ଅନୁମୋଦନ ପାଇଁ ପଡିରହିଛି ବୋଲି ସସ୍ମିତ କହିଛନ୍ତି।
ସେହିପରି ଓଡିଶା ବିଧାନ ପରିଷଦ ଓ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଥା ଉଠାଇ ଥିଲେ। ଏହାସହ ୨୨୩୫ଟି ଗାଁରେ ଆଜି ପର୍ଯ୍ୟନ୍ତ ଟେଲିକମର ସୁବିଧା ପହଞ୍ଚି ପାରିନାହିଁ। ୭୦ ପ୍ରତିଶତ ଗ୍ରାମପଞ୍ଚାୟତରେ ବ୍ୟାଙ୍କର ସେବା ନଥିବା ଭଳି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇ ଜବାବ ମାଗିଛନ୍ତି ସାଂସଦ ସସ୍ମିତ ପାତ୍ର। ଅନ୍ୟପଟେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ‘ଏହି ଦାବି ଏବେ ଆସିଛି। ଏହା ଉପରେ ଆମେ କାମ କରୁଛୁ।’

Leave a comment