ପାଣ୍ଡିଆନ୍‌ଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

0

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦାୟର ହୋଇଛି । ଆଇନଜୀବୀ ସୁଧିର ଚରଣ ମହାନ୍ତି ଏହି ଏତଲା ଦାୟର କରିଛନ୍ତି । ପୁଲିସ ତାଙ୍କ ଏତଲାକୁ ଗ୍ରହଣ କରି ଅନୁଧ୍ୟାନ ଆରମ୍ଭ କରିଛି ।

ସୁଧିର ଚରଣ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ହେଲିକପ୍ଟରରେ ଉଡ଼ି ପାଣ୍ଡିଆନ ରାଜକୋଷର ବ୍ୟାପକ କ୍ଷତି କରିଛନ୍ତି । ଏଥିସହିତ ପାଣ୍ଡିଆନଙ୍କ ନାଁରେ ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗ ହୋଇଛି । ସେହିପରି ଖଣି ମାଫିଆଙ୍କ ଠାରୁ ସେ କୋଟି କୋଟି ଟଙ୍କା ଉତ୍କୋଚ ନେଇଥିବା ତଥା ଏକାଧିକ କଂପାନୀକୁ ଅନୁକଂପା ଦେଖାଇବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏହି ଦୁର୍ନୀତିର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ନିର୍ବାଚନ ସମୟରେ ସରକାରୀ ଅର୍ଥ ଅପବ୍ୟବହାର, ସରକାରୀ ଆଇନ ଉଲଂଘନ କରୁଥିଲେ ଭିକେ ପାଣ୍ଡିଆନ । କୋଟି କୋଟି ଟଙ୍କା ମାଫିଆଙ୍କ ଠାରୁ ଆଦାୟ କରି ସେସବୁ ଖର୍ଚ୍ଚ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ରାଜ୍ୟର ବିକାଶରେ ପ୍ରତିବନ୍ଧକ ସାଜଛି । ଏହି ଦୃଷ୍ଟିରୁ ଏକ କମିଟି ଗଠନ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକପ୍ଟରରେ ଯିବା ଆସିବା କରିବା ତଥା ଗସ୍ତ ସମୟରେ ବର୍ଷା ଭଳି ଉଡାଇଛନ୍ତି । ବିଭିନ୍ନ ସ୍ଥାନରେ ସେ ସଭାର ଆୟୋଜନ କରୁଥିଲେ ଓ ହେଲିକପ୍‌ଟରେ ଯାଉଥିଲେ । ପ୍ରାୟ ୫୦୦ କୋଟି ଟଙ୍କା ଉଡ଼ିବା ପାଇଁ ଉଡାଇଛନ୍ତି । ୨୦୧୩-୨୦୨୪ ମସିହାର ଏକ ଆକଳନ ଏହା କହୁଛି । ୧୦/୧୫ କିଲୋମିଟର ଯିବା ପାଇଁ ବି ଭି କେ ପାଣ୍ଡିଆନ ହେଲିକପ୍‌ଟରର ବ୍ୟବହାର କରୁଥିଲେ ।

ସେପଟେ ଭିକେ ପାଣ୍ଡିଆନଙ୍କୁ ନେଇ କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେଇ ଆଭାସ ଦେଇଥିଲେ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍ ନିର୍ମାଣ ହେଉଥିଲା, ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଇଥିଲା । କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ । ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଇଥିଲା ସବୁ କିଛିର ତଦନ୍ତ ହୋଇ ଖୁବ୍‌ଶୀଘ୍ର ଦଣ୍ଡ ବିଧାନର ବ୍ୟବସ୍ଥା ହେବ । ତେବେ ଏହାପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ନେଇ କହିଥିଲେ ।

ସେପଟେ ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବାଉଁଶ ବ୍ୟାରିକେଡ୍ ଓ ସଭାସ୍ଥଳ ଖର୍ଚ୍ଚର ହିସାବ ନାହିଁ । ଗୋଟିଏ ଗୋଟିଏ କାମକୁ ଦି-ତିନି ଜଣ ଠିକାଦାର, ତିନି ତିନି ଥର ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । କେଉଁଠି ହେଲିପ୍ୟାଡ୍ ପାଇଁ ବ୍ୟାରିକେଡ୍ ବନ୍ଧା ତ କେଉଁଠି ସଭାସ୍ଥଳ ନିର୍ମାଣ, କୋଟି କୋଟି ଟଙ୍କାର କାମ ହୋଇଛି । ବାରମ୍ବାର ବିଲ୍ ହୋଇଛି, ଏକାଧିକ ଠିକାଦାର କାମ କରିଛନ୍ତି । ଚକିତ କଲାଭଳି ତଥ୍ୟ ଆରଟିଆଇରୁ ମିଳିଥିଲା ।

Leave a comment