ରାହୁଲଙ୍କ ହାତଧରି ଘରକୁ ଫେରିଲେ ପଞ୍ଚାନନ, ସାଙ୍ଗରେ ଆସିଲେ ଅନୀଲ ଓ ଜଗଦୀଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରକୁ ବାହୁଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଆଜି ତମାଣ୍ଡ ଠାରେ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସଭାରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସର ହାତ ସହ ହାତ ମିଶାଇଲେ ପଞ୍ଚାନନ । କେବଳ ପଞ୍ଚାନନ ନୁହନ୍ତି ବିଜେପି ନେତା ଅନୀଲ ସିଂଦେଓ ଓ ଜଗଦୀଶ ମହାନ୍ତି ମଧ୍ୟ କଂଗ୍ରେସର ହାତ ଧରିଲେ । ବର୍ତ୍ତମାନ ସମୟରେ କଂଗ୍ରେସରେ ହାତ ଛାଡି ଅନେକ ନେତା ଚାଲିଯାଉଥିବା ବେଳେ ପଞ୍ଚାନନ,ଅନୀଲ ଓ ଜଗଦୀଶଙ୍କ କଂଗ୍ରେସର ହାତ ଧରିବା କର୍ମୀଙ୍କ ମହଲରେ ନୂତନ ଆଶାର ସଞ୍ଚାର କରିବ ।

ସୂଚନା ଅନୁଯାୟୀ, ୧୯୭୦ ମସିହାରେ କଂଗ୍ରେସରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ପଞ୍ଚାନନ । ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ ଯିବାପରେ କଂଗ୍ରେସ ଛାଡିଥିଲେ ଓ ୧୯୭୭ରେ ଜନତା ପାର୍ଟି ପକ୍ଷରୁ ଗୋବିନ୍ଦପୁର ଆସନରେ ନିର୍ବାଚନ ଲଢି ଜିତିଥିଲେ ପଞ୍ଚାନନ । ଏହାପରେ କିଛିବର୍ଷ ରାଜନୀତିରୁ ଦୁରେଇ ଯାଇଥିଲେ । ସେହିପରି ୧୯୯୫ ପୁଣିଥରେ ଜନତା ଦଳ ପକ୍ଷରୁ ଲଢ଼ିଥିଲେ ଓ ଜିତିଥିଲେ । ୧୯୯୭ ମସିହାରେ ବିଜେଡି ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପଞ୍ଚାନନ । ୨୦୦୦ ମସିହାରେ ବିଜେଡି ଟିକେଟରେ ବିଜୟୀ ହୋଇ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୦୪ ନିର୍ବାଚନରେ ପରାଜିତ ହେବା ପରେ ଦଳୀୟ ନେତୃତ୍ୱ ସହ ତାଙ୍କର ସର୍ମ୍ପକ ଖରାପ ହେବାପରେ ଦଳ ବିରୋଧରେ ମନ୍ତବ୍ୟ ଦେଇ ୨୦୦୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ପଞ୍ଚାନନ । ଏହାପରେ ଦୀର୍ଘ ୧୧ ବର୍ଷ ରାଜ୍ୟ ରଜନୀତି ରୁ ଦୂରରେ ରହିଥିଲେ ସତ ମାତ୍ର ରାଜନୈତିକ ହାଲଚାଲରୁ ନିଜକୁ ଦୂରକୁ ରଖିପାରିନଥିଲେ । ଆଜି ରାହୁଲ ଙ୍କ ସହ କଥା ହେବାପରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ଘୋଷଣା କରିଥିଲେ । ପଞ୍ଚାନନଙ୍କ ପରି ଅଭିଜ୍ଞତା ଥିବା ବରିଷ୍ଠ ରାଜନେତା ମଧ୍ୟ କଂଗ୍ରେସକୁ ୨୦୧୯ ନିର୍ବାଚନରେ ଫାଇଦା ଦେବ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a comment