ପାକିସ୍ତାନକୁ ମିଳିଲା IMFରୁ ଋଣ ସହାୟତା

ଗୁରୁତର ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଶେଷରେ ସହାୟତାର ହାତ ବଢାଇଛନ୍ତି। ଆଇଏମଏଫ ପାକିସ୍ତାନକୁ ୩ ବିଲିୟନ ଡଲାର ଋଣ ମଞ୍ଜୁର କରିଛନ୍ତି। ଗତ କିଛି ସମୟ ହେଲା ପାକିସ୍ତାନ ଗୁରୁତର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିଲା। ଏଣୁ ଆଇଏମଏଫରୁ କିଛି ମିଳି ଯାଉ ବୋଲି ଉଦ୍ୟମ କରୁଥିଲା। ତେବେ ଦିନକ ପୂର୍ବରୁ ଆଇଏମଏଫ ପାକିସ୍ତାନକୁ ଲାଇଫଲାଇନ ଦେଇଛନ୍ତି।
ପାକିସ୍ତାନକୁ ଋଣ ମଞ୍ଜୁର ପାଇଁ ଗତ କିଛି ସମୟ ହେଲା ଆଇଏମଏଫ ଓ ପାକିସ୍ତାନ ମଧ୍ୟରେ ରାଜିନାମାକୁ ନେଇ ଚର୍ଚ୍ଚା ହେଉଥିଲା। ତେବେ ପାକିସ୍ତାନକୁ ଏହି ଅର୍ଥ ଏକ୍ସଟେଣ୍ଡେଡ ଫଣ୍ଡ ଫାସେଲିଟି ଭାବେ ଦିଆଯାଇ ନାହିଁ। ଆଇଏମଏଫ ଏମାର୍ଜେନ୍ସୀ ବେଲ ଆଉଟ କରିବାକୁ ଉଦ୍ୟମ କରିଛନ୍ତି। ଏଣୁ ପାକିସ୍ତାନକୁ ମିଳିଥିବା ଋଣ ଲାଗି ଅନେକ ସର୍ତ୍ତ ରଖା ଯାଇଛି। ଯେଉଁଥି ପାଇଁ ପାକିସ୍ତାନର ସମସ୍ୟା ଆହୁରି ବଢିପାରେ ବୋଲି ଏବେ ଆଶଙ୍କା କରାଯାଉଛି।
ଆଇଏମଏଫ ପାକିସ୍ତାନକୁ ଷ୍ଟାଣ୍ଡବାଇ ଏଗ୍ରିମେଣ୍ଟରେ ଋଣ ମଞ୍ଜୁର କରିଛନ୍ତି। ଫଳରେ ବାଲାନ୍ସ ଅଫ ପେମେଣ୍ଟ ଦେଇ ଗତି କରୁଥିବା ପାକିସ୍ତାନକୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ପାକିସ୍ତାନର ସମାପ୍ତ ହୋଇଯାଇଥିବା ଫରେନ ଏକ୍ସଚେଞ୍ଜ ରିଜର୍ଭକୁ ମଧ୍ୟ କିଛିଟା ଆଶ୍ୱସ୍ତ କରିବ। ତେବେ ପାକିସ୍ତାନକୁ ଆଇଏମଏଫ ମଞ୍ଜୁର ଋଣ ଏକକାଳୀନ ପ୍ରଦାନ କରିବେନି। ୯ ମାସିଆ କିସ୍ତିରେ ପାକିସ୍ତାନକୁ ୩ ବିଲିୟନ ଡଲାର ଋଣ ମିଳିବ। ପ୍ରଥମେ ଅନୁମାନ କରାଯାଉଥିଲା ଆଇଏମଏଫ ୨.୫ ବିଲିୟନ ଡଲାର ଋଣ ଦେଇ ପାରନ୍ତି। ତେବେ ଆଇଏମଏଫ ଆଶାଠାରୁ ଅଧିକ ଋଣ ମଞ୍ଜୁର କରିଛନ୍ତି। ତେବେ ଏହି ପଇସାକୁ ପାକିସ୍ତାନ ଫାଲତୁ ଖର୍ଚ୍ଚରେ ବ୍ୟୟ କରିପାରିବନି ବୋଲି ଆଇଏମଏଫ ରାଜିନାମାରେ ସ୍ପଷ୍ଟ କରିଦେଇଛନ୍ତି। ଯେଉଁଠି ଜରୁରି ଆବଶ୍ୟକତା ଋଣ ବାବଦ ଅର୍ଥକୁ କେବଳ ସେହିଠାରେ ହିଁ ବିନିଯୋଗ କରାଯାଇ ପାରିବ। ଏହା ଛଡା ପାକିସ୍ତାନ ବିଭିନ୍ନ ଯୋଜନାରେ ଲୋକଙ୍କୁ ଦେଉଥିବା ସବସିଡ୍ ବନ୍ଦ କରିବ।
ଏଥିରେ ଶକ୍ତି କ୍ଷେତ୍ରରେ ପାକିସ୍ତାନ ସରକାର ଦେଉଥିବା ସବସିଡିକୁ ସମାପ୍ତ କରିବେ। ଏଣୁ ଲୋକଙ୍କୁ ପୁରା ବିଦ୍ୟୁତ ବିଲ୍ ପୈଠ କରିବାକୁ ହେବ। ସେହିପରି ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କକୁ ଇମ୍ପୋର୍ଟ ରେଷ୍ଟ୍ରିକ୍ସନ ହଟାଇବାକୁ ହେବ। ଏହା ଛଡା ଦେଶରେ ଋଣ ସୁଧହାର ବୃଦ୍ଧି କରିବାକୁ ପଡିବ। ପାକିସ୍ତାନରେ ଏବେ ୨୨ ପ୍ରତିଶତ ସୁଧହାରରେ ଏବେ ବ୍ୟାଙ୍କ ଲୋନ ମିଳି ଯାଉଛି। ଏହା ଆହୁରି ବଢିବ ଯାହା ଋଣୀଙ୍କ ଲାଗି ଚିନ୍ତାର କାରଣ ହେବ। ସେହିପରି ସରକାରୀ ନିୟନ୍ତ୍ରଣାଧୀନ କ୍ଷତିରେ ଚାଲିଥିବା କମ୍ପାନୀଙ୍କୁ ଘରୋଇକରଣ କରିବାକୁ ଆଇଏମଏଫ ସର୍ତ୍ତ ରଖିଛନ୍ତି।
ଆଇଏମଏଫଙ୍କ ଏହି ସବୁ ସର୍ତ୍ତ ଲାଗି ସଂକଟଗ୍ରସ୍ତ ପାକିସ୍ତାନ ଆହୁରି ବରବାଦ ହେବ ବୋଲି ଏବେ ଏକ୍ସପର୍ଟ ଓ ବିରୋଧୀ ଦଳମାନେ କହୁଛନ୍ତି। କାରଣ ପାକିସ୍ତାନକୁ ୩ ବିଲିୟନ ଡଲାର ଋଣ ମିଳିଥିବା ବେଳେ ୧ ଜୁଲାଇ ୨୦୨୩ରୁ ୩୦ ଜୁନ ୨୦୨୪ ସୁଦ୍ଧା ପାକିସ୍ତାନକୁ ୨୨ ବିଲିୟନ ଡଲାରର ଋଣ ସୁଝିବାକୁ ଅଛି। ଏଣୁ ଆଇଏମଏଫଙ୍କ ସହାୟତା ଓ ଏଥି ପାଇଁ ଥିବା ସର୍ତ୍ତ ସରକାରଙ୍କୁ ଅସୁବିଧାରେ ପକାଇବ ବୋଲି ବିରୋଧୀ ଦଳମାନେ କହିଛନ୍ତି। ତେବେ ସବୁଠୁ ଯାହା ବଡ କଥା ତାହା ହେଉଛି ଯେଉଁ ସର୍ତ୍ତରେ ପାକିସ୍ତାନ ଆଇଏମଏଫଙ୍କଠାରୁ ଋଣ ଉଠାଇଛନ୍ତି ଦେଶରେ ସେହି ସର୍ତ୍ତ ସବୁ ଲାଗୁ କରିପାରିବତ? ସେନେଇ ଏବେ ପ୍ରଶ୍ନ ଉଠିଛି।