୧ରୁ ସୋଆ ଏସ୍ଏଚ୍ଏମ୍ ପକ୍ଷରୁ “ପଖାଳ ଉତ୍ସବ’
ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ଖାଦ୍ୟ “ପଖାଳ’କୁ ଅଧିକ ମାତ୍ରାରେ ପ୍ରସାରିତ ଓ ଆଦୃତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ଶିକ୍ଷା ଅନୁଷ୍ଠାନରେ ଏପ୍ରିଲ୍ ୧ରୁ ୬ ତାରିଖ ପର୍ଯ୍ୟନ୍ତ “ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି ।
ଏହି ଉତ୍ସବରେ ଅତିଥିମାନଙ୍କୁ ପଖାଳ ସହିତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରାଯିବ । ଓଡ଼ିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ରୁଚିର ଉପସ୍ଥାପନା ଏହି ପଖାଳ ଉତ୍ସବରେ ଦେଖିବାକୁ ମିଳିବ । ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଆଡଭାଇଜର ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କ ତତ୍ତ୍ୱାବଧାନ ଓ ସମସ୍ତ ଫାକଲ୍ଟି ମେମ୍ବର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ଏହି ପଖାଳ ଉତ୍ସବ ପାଳନ ହୋଇଆସୁଥିବା ବେଳେ ଗତ ୨ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ଏହି ଉତ୍ସବକୁ ସ୍ଥଗିତ ରଖାଯାଇଥିଲା । ଅତିଥିମାନଙ୍କୁ ଏସ୍ଏଚ୍ଏମ୍ର ରେଷ୍ଟୁରାଣ୍ଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ । ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି । ପଖାଳ ଓ ବିଭିନ୍ନ ବ୍ୟଞ୍ଜନ ସହ ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ପରିବେଷଣର ବ୍ୟବସ୍ଥା ମଧ୍ୟ ରହିବ ।