ଆଜିଠାରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ, ବିଜେପିର ଗାନ୍ଧୀ ସଂକଳ୍ପ ଓ କଂଗ୍ରେସର ଅହିଂସା ପଦଯାତ୍ରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ଦଳ ନିଜ ସ୍ଥିତିରେ ଆଣିବାକୁ ଆଜିଠାରୁ ଆରମ୍ଭ କରିଛନ୍ତି ପଦଯାତ୍ରା । ବିଜେଡି ଏହି ପଦଯାତ୍ରାକୁ ଜନସମ୍ପର୍କ ପଦଯାତ୍ରା ନାମ ଦେଇଥିବା ବେଳେ ବିଜେପି ଏହାକୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସ ଏହାକୁ ଅହିଂସା ପଦଯାତ୍ରା ଭାବେ ନାମିତ କରିଛି ।

ସୂଚନା ଅନୁଯାୟୀ, ବିଜେଡିର ଏହି ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ଏହି ପଦଯାତ୍ରା ଦ୍ୱାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଚାଇବାକୁ ଦଳ ଯୋଜନା କରିଛି ।

ଅପରପକ୍ଷରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ପକ୍ଷରୁ ଦେଶବ୍ୟାପି ଆଜିଠାରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କଟିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଜିଲ୍ଲା ତେଲେଙ୍ଗାପେଂଟସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ପଦଯାତ୍ରା ଆୟୋଜନ କରାଯାଇଛି । ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା, ସ୍ୱଦେଶୀ, ସ୍ୱଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ ।

ସେହିପରି ରାଜ୍ୟରେ ନିଜର ଅସ୍ତିତ୍ବ ହରାଇବସିଥିବା କଂଗ୍ରେସ ପକ୍ଷରୁ ରାଜଧାନୀରେ ଅହିଂସା ପଦଯାତ୍ରା କରିଛି । ମହାତ୍ମାଗାନ୍ଧୀ ପାର୍କରୁ ପଦଯାତ୍ରା ଆରମ୍ଭ ହୋଇ ଏହା କଂଗ୍ରେସ ଭବନ ପହଞ୍ଚିବ । ସେଠାରେ ଏକ ସଭା ଆୟୋଜନ କରାଯାଇଛି । କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାର ୩୩ ଜଣ ପ୍ରେରକ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକାଠି କରିବା ସହିତ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡି ସରକାରର ଅପାରଗତା ନେଇ ଲୋକଙ୍କୁ ସଚେତନ କରାଇବ ରାଜ୍ୟ କଂଗ୍ରେସ ।

Leave a comment