ପଶ୍ଚିମବଙ୍ଗ ଉପନିର୍ବାଚନ: ତାରିଖ ଘୋଷଣା ନ ହେବାରୁ ହାଇକୋର୍ଟକୁ ଗଲା TMC

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମବଙ୍ଗର ୭ଟି ବିଧାନସଭା ଲାଗି ଉପନିର୍ବାଚନ ହେବ। ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଏଥିଲାଗି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଆୟୋଗଙ୍କ ଏପରି ଟାଳଟୁଳ ନୀତି ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯଦି ୬ ମାସ ମଧ୍ୟରେ ବିଧାନସଭା ସଦସ୍ୟ ନ ହୋଇପାରିବେ ତେବେ ତାଙ୍କୁ ପଦବୀ ଛାଡିବାକୁ ପଡିବ। ଏଣୁ ନିର୍ବାଚନ ଲାଗି ମମତା ପ୍ରସ୍ତୁତ ଥିଲେ ହେଁ ଆୟୋଗ ଏ ଦିଗରେ ଇଞ୍ଚଟିଏ ବି ଘୁଞ୍ଚୁ ନାହାନ୍ତି।ଏ ନେଇ ଟିଏମସି ପକ୍ଷରୁ କୋର୍ଟରେ ଦାଖଲ ଆବେଦନରେ ୬ ମାସର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରାଜ୍ୟରେ ଉପନିର୍ବାଚନ ଆୟୋଜନ ନିମନ୍ତେ ନିର୍ବାଚନ ଆୟୋଗ, କେନ୍ଦ୍ରଗୃହମନ୍ତ୍ରାଳୟ ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ରାମ ପ୍ରସାଦ ସରକାରଙ୍କ ଅନୁସାରେ ମମତା ବାନାର୍ଜୀ ଗତ ମେ ୫ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏଣୁ ମୁଖ୍ୟ ବିଚାରପତିଙ୍କୁ ମୋର ନିବେଦନ ଯେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରାଜ୍ୟରେ ଉପନିର୍ବାଚନ କରାଇବାକୁ ସମ୍ବଦ୍ଧିତ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।ରାଜ୍ୟରେ ଉପନିର୍ବାଚନ ଜାଣି ଜାଣି ବିଳମ୍ବିତ କରାଯାଉଥିବା ଓକିଲ ଆଶଙ୍କା ପ୍ରକାଶ କରିଛନ୍ତି। ଜନପ୍ରତିନିଧି ଆଇନର (ରାଜ୍ୟ) ଧାରା ୧୫୦ ଓ ୧୫୧ରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୬ ମାସରେ ନିର୍ବାଚନ କରାଇବାର ପ୍ରାବଧାନ ରହିଛି। ତେବେ ଏଥିଲାଗି ନିର୍ବାଚନ ତାରିଖ ଘୋଷଣାରେ ଆୟୋଗ କାହିଁକି ବିଳମ୍ବିତ କରୁଛନ୍ତି ସେ ନେଇ ସରକାର ଆଶଙ୍କା ପ୍ରକାଶ କରିଛନ୍ତି।