ପଞ୍ଚଭୂତରେ ଲୀନ ହେଲେ ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂହ ଚୌହାନ: ଶହୀଦ ପିତାଙ୍କୁ ମୁଖାଗ୍ନି ଦେଲେ ନାବାଳକ ପୁଅ-ଝିଅ
ଲକ୍ଷ୍ନୌ ୧୧/୧୨ : ଭାରତ ମାତା କି ଜୟ…ଜବ ତକ ସୁରଜ ଚାନ୍ଦ ରହେଗା, ପୃଥ୍ବୀ ତୁମ୍ହାରା ନାମ ରହେଗା…ପୃଥ୍ବୀ ସିଂହ ଅମର ରହେଁ…ଏହି ଜୟଗାନ ସହ ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂହ ଚୌହାନଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଶନିବାର ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ତାଜଗଞ୍ଜ ମୋକ୍ଷଧାମରେ ରାଜକୀୟ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଛି। ଏହା ପୂର୍ବରୁ ବାୟୁସେନା ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ। ୮ ବର୍ଷର ପୁଅ ଓ ୧୨ ବର୍ଷ ଝିଅ ଶହୀଦ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି।
ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂହ ଚୌହାନଙ୍କ ଘର ସରନ ନଗରରେ। ବୁଧବାର ଦିନ ସିଡିଏସ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ସେ ମଧ୍ୟ ଶହୀଦ ହୋଇଛନ୍ତି। ୩ ଦିନ ପରେ ତାଙ୍କ ପାର୍ଥିବ ଶରୀର ଆଗ୍ରା ଅଣାଯାଇଥିଲା। ଡିଏନଏ ଯାଞ୍ଚ ଯୋଗୁଁ ପାର୍ଥିବ ଶରୀର ଆଣିବାକୁ ସମୟ ଲାଗିଥିଲା। ସରନ ନଗର ସ୍ଥିତ ଘରୁ ଏମଜି ରୋଡ଼ ଯାଏଁ ଶହୀଦଙ୍କ ଅନ୍ତିମ ଯାତ୍ରା ବାହାରିଥିଲା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଅନ୍ତିମ ଯାତ୍ରାରେ ପୃଥ୍ବୀ ସିଂହ ଅମର ରହେ ଜୟଗାନରେ ପୁରା ଅଞ୍ଚଳ ଗୁଂଜି ଉଠୁଥିଲା।
ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା କମାଣ୍ଡର ପୃଥ୍ବୀ ସିଂହଙ୍କ ପାର୍ଥିବ ଶରୀର ସକାଳ ସାଢେ ୧୦ଟା ସମୟରେ ଖେରିୟା ବିମାନବନ୍ଦରରେ ପହଞ୍ଚିଥିଲା। କେନ୍ଦ୍ର ମନ୍ତ୍ରୀ ଏସପି ସିଂହ ବାଘେଲ, ଏୟାର କାମାଣ୍ଡିଙ୍ଗ ଅଫିସର ଏଓଆଇସି ଏସକେ ବର୍ମା, ସ୍ପେଶାଲ ଫୋର୍ସର ଯବାନ ସୈନ୍ୟ ସମ୍ମାନ ସହ ଶହୀଦଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ। ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପୂର୍ବରୁ ଶହୀଦଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକେ ଏକଜୁଟ ହୋଇଥିଲେ। ଗାଁରେ ଶୋକାକୁଳ ପରିବେଶ ଥିଲା।