୧୬ରୁ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର : କୋରୋନା କଟକଣା ମଧ୍ୟରେ ଆସନ୍ତା ୧୬ ଓ ୧୭ ତାରିଖରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡିଓ ମେଳା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି । ଅଷ୍ଟମ ଥର ପାଇଁ ଏହି ରେଡିଓ ମେଳା ଆୟୋଜିତ ହେବାକୁ ଯାଉଛି । ପ୍ରତିବର୍ଷ ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେଉଥିବା ଏହି ମେଳା ଏଥର ଦୁଇ ମାସ ବିଳମ୍ବରେ ଅନୁଷ୍ଠିତ ହେବ । ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକି ଟକି ସହ ହାମ୍ ରେଡିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ । ବିଭିନ୍ନ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ ଖୋଲିବେ । ବିଗତ ବର୍ଷମାନଙ୍କ ପରି ଏଥର ମଧ୍ୟ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହୋମ୍ ରେଡ଼ିଓ ଅପରେଟର ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସମିତି (ଓସଡମା) ପକ୍ଷରୁ ଓଡ୍ରାଫ ଓ ହୋମ ରେଡ଼ିଓ ଅପରେଟରମାନଙ୍କ ସହାୟତାରେ ଏପରି ଏକ ଷ୍ଟଲ ଖୋଲାଯିବ । ରେଡିଓ ମେଳାର ସବୁଠାରୁ ବଡ ଆକର୍ଷଣ ହେଉଛି ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡିଓ । ଚାରି ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ କରାଯିବ । ଦେଶର ଅନ୍ୟତମ ଲୋକପ୍ରିୟ ରେଡ଼ିଓ ଜକି ଆରଜେ ପ୍ରବୀଣ ଓ ଅରିତ୍ର, କାନପୁରର ଆରଜେ ରାଘବ ଓ ଇନ୍ଦୋରର ଆରଜେ ଭିନୀ ଏଥର ରେଡ଼ିଓ ମେଳାରେ ଯୋଗ ଦେବା ସହ ରେଡ଼ିଓରେ କ୍ୟାରିୟର କରିବାକୁ ଚାହୁଁଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ । ରେଡ଼ିଓ ମେଳା ଅବସରରେ ୨୦୨୧ ମସିହା ପାଇଁ ଆରଜେ ରାଘବଙ୍କୁ ଲୋକପ୍ରିୟ ରେଡ଼ିଓ ପ୍ରସାରକ ଭାବେ ଓ ଲୋକସେବାରେ ରେଡିଓର ଶ୍ରେଷ୍ଠ ବ୍ୟବହାର ପାଇଁ ଆରଜେ ଭିନୀଙ୍କୁ ସମ୍ମାନିତ କରାଯିବ । କଣ୍ଠଶିଳ୍ପୀ ଅମ୍ରିତା ନାୟକଙ୍କୁ ଦଶ ହଜାର ଅର୍ଥରାଶି ସହ ଉପେନ୍ଦ୍ର ପାହାଡ଼ସିଂହ ମେମୋରିଆଲ ଆୱାର୍ଡ ପ୍ରଦାନ କରାଯିବ । ଏହା ବ୍ୟତୀତ କିଛି ରେଡ଼ିଓ ଉପସ୍ଥାପକଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବ । କିମ୍ବଦନ୍ତୀ ରେଡ଼ିଓ ବ୍ୟକ୍ତିତ୍ୱ ନଦିଆ ବିହାରୀ ମହାନ୍ତିଙ୍କ ସ୍ମୃତିରେ ନଦିଆ ବିହାରୀ ମହାନ୍ତି ସ୍ମାରକୀ ସମ୍ମାନ ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଦୀପକ ସାମନ୍ତରାୟଙ୍କୁ ପ୍ରଦାନ କରାଯିବ । ଶେଖ ଜାଫରଙ୍କ ପରିଚାଳନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆଉଟରିଚ୍ ପକ୍ଷରୁ ବିଷ୍ନୁପ୍ରିୟା ସାହୁ, ଶୁଭେନ୍ଦ୍ର ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।